ରାତିରେ ଭୁବନେଶ୍ୱରରେ ପହଞ୍ଚିବ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର । ଆସନ୍ତାକାଲି ପୈତୃକ ଗାଁରେ ହେବ ଶେଷକୃତ୍ୟ ।

171

କନକ ବ୍ୟୁରୋ: ଖଲ୍ଲିକୋଟ ରାଣୀଙ୍କର ପାର୍ଥୀବ ଶରୀର ଭୁବନେଶ୍ୱରରେ ସଂଧ୍ୟା ୭ଟା ୫୫ରେ ପହଞ୍ଚିିବ । ଦଳୀୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ରାଣୀଙ୍କ ପ୍ରାର୍ଥୀବ ଶରୀରକୁ ଖଲ୍ଲିକୋଟ ନିର୍ମଳଝର ବାସଭବନ ଅଭିମୁଖେ ନିଆଯିବ, ଆସନ୍ତାକାଲି ଅନୁଷ୍ଠିତ ହେବ ଅନ୍ତିମ ସଂସ୍କାର ।

୮୭ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ରାତି ୧୨ଟା ୪୪ମିନଟରେ ଦେହାନ୍ତ ହୋଇଥିବା ଜଣାପଡିଛି । ଗତ କିଛି ଦିନ ହେବ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ଚେନ୍ନାଇ ଗସ୍ତରେ ଯାଇ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କୁ ହସ୍ପିଟାଲରେ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସୁସ୍ଥତା କାମନା କରିଥିଲେ । ପରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସୁଜ୍ଞାନ କୁମାରୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ । ୧୦ ଥର ବିଧାୟିକା ଭାବେ ସେ ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଛନ୍ତି । ୧୯୬୧ ମସିହାରେ ଖଲିକୋଟ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାରେ ପାଦ ଥାପିଥିଲେ ସୁଜ୍ଞାନ କୁମାରୀ ଦେଓ । ଏହା ପରେ ଷଷ୍ଠ ବିଧାନସଭାକୁ ସେହି ଖଲିକୋଟ ଆସନରୁ ନିର୍ବାଚିତ ହୋଇଥିଲେ । ଅଷ୍ଟମ ବିଧାନସଭାକୁ ଛାଡିଦେଲେ କ୍ରମାଗତ ଭାବେ ଗତ ବିଧାନସଭା ପର୍ଯ୍ୟନ୍ତ ବିଧାୟିକା ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳରୁ ସେ ବିଧାୟିକା ହୋଇଛନ୍ତି । ଖଲିକୋଟରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ନିର୍ବାଚିତ ହୋଇଛନ୍ତି ।