ଆସନ୍ତାକାଲି ଓଡ଼ିଶା ଆସିବେ ମୋଦି । ଆକାଶମାର୍ଗରୁ ଅମ୍ଫାନ ପ୍ରଭାବିତ ଅଞ୍ଚଳ ବୁଲିବେ, ସରକାରଙ୍କ ସହ ସ୍ଥିତି ସମୀକ୍ଷା କରିବେ ।

448

କନକ ବ୍ୟୁରୋ: ଆସନ୍ତାକାଲି କ୍ଷୟକ୍ଷତିର ଆକଳନ କରିବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀ ଓଡିଶା ଓ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଂଚଳର ଆକାଶମାର୍ଗରୁ ପରିଦର୍ଶନ କରିବେ ।

ଅମ୍ଫାନ ଓଡିଶାରେ କେତେ କ୍ଷୟକ୍ଷତି କରିଛି ସେ ନେଇ ନିଜେ ଅନୁଧ୍ୟାନ ପାଇଁ ଆକାଶମାର୍ଗରୁ ବୁଲି ଦେଖିବେ ପ୍ରଧାନମନ୍ତ୍ରୀ । ଓଡିଶାର ୪ଟି ଜିିଲ୍ଲାରେ ବ୍ୟାପକ କ୍ଷତି କରିଛି ଅମ୍ଫାନ । ସେହିପରି ପଶ୍ଚିମବଙ୍ଗରେ ବାତ୍ୟା ୭୨ ଜଣଙ୍କ ଜୀବନ ନେଇଥିବାବେଳେ କୋଲକାତା, ହ୍ୱାଓଡା ଓ ହୁଗୁଳିରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ପ୍ରଧାନମନ୍ତ୍ରୀ ବାତ୍ୟାଂଚଳ ପରିଦର୍ଶନ କରିବା ପରେ ଅପରାହ୍ନ ୨ଟାରେ ଭୁବନେଶ୍ୱରରେ ବାତ୍ୟା ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବୈଠକ ହୋଇଛି । ଗୁଇନ୍ଦା ନିର୍ଦ୍ଦେଶକ , ପୋଲିସ କମିଶନର , କ୍ରାଇମବ୍ରାଂଚ ଏଡିଜି ଓ ରାଜ୍ୟ ପୋଲିସର ବହୁ ଅଧିକାରୀ ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି । ତେବେ ବାତ୍ୟା ଚାଲିଗଲା ପରେ ଚାଲିଛି କ୍ଷୟକ୍ଷତିର ଆକଳନ । ଆଜି ମୁଖ୍ୟମନ୍ତ୍ରୀ ବାତ୍ୟାଂଚଳରେ ବୁଲି କ୍ଷୟକ୍ଷତିର ଆକଳନ କରିବା ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଆସିବେ ।