କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିନ ୧୧ଟାରେ ପିଏମ-କିସାନ ଯୋଜନା ଅଧୀନରେ ଆର୍ଥିକ ଲାଭର ଅଷ୍ଟମ କିସ୍ତି ଦେବାକୁ ଯାଉଛନ୍ତି। ୯.୫ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ୧୯,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ (ପିଏମଓ) ପକ୍ଷରୁ କୁହାଯାଇଛି । ଏହି କାର୍ୟ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ହିତାଧିକାରୀଙ୍କ ସହ ଯୋଗାଯୋଗ କରିବେ ବୋଲି ଜଣାପଡିଛି।
ଏହି ଅବସରରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉପସ୍ଥିତ ରହିବେବୋଲି ସୂଚନା ମିଳିଛି । ପିଏମ-କିସାନ ଯୋଜନା ଅନୁଯାୟୀ, ଯୋଗ୍ୟ କୃଷକ ପରିବାରକୁ ବାର୍ଷିକ ୬,୦୦୦ ଟଙ୍କା ଆର୍ଥିକ ସୁବିଧା ପ୍ରଦାନ କରାଯାଉଛି, ଯାହା ୩ଟି ସମାନ କିସ୍ତିରେ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୁଏ । ଏହି ଯୋଜନା ଅଧୀନରେ ଏପର୍ୟ୍ୟନ୍ତ କୃଷକ ପରିବାରକୁ ୧.୧୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇସାରିଛି ବୋଲି ପିଏମଓ ପକ୍ଷରୁ କୁହାଯାଇଛି ।