ମହାରାଷ୍ଟ୍ର ମହାନାଟକର ନୂଆ ଫର୍ଦ୍ଦ । ସରକାର ଗଢ଼ିବ ଶିବସେନା-କଂଗ୍ରେସ-ଏନ୍ସିପି ମେଂଟ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ

192

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆସନ୍ତାକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ । ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବାକୁ ଦାବି ଜଣାଇସାରିଛନ୍ତି ଉଦ୍ଧବ । ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାରେ ଉଦ୍ଧବ ହେବେ ଠାକରେ ପରିବାରର ପ୍ରଥମ ସଦସ୍ୟ । କଂଗ୍ରେସ, ଶିବସେନା ଏବଂ ଏନ୍ସିପିକୁ ନେଇ ମିଳିତ ବୈଠକରେ ଗତକାଲି ଉଦ୍ଧବଙ୍କୁ ନେତା ନିର୍ବାଚିତ କରାଯାଇଥିଲା । ଏହି ମେଂଟ ପ୍ରତି ୧୬୨ ବିଧାୟକଙ୍କ ସମର୍ଥନ ଥିବା କୁହାଯାଇଛି । ଏଥିରେ ଶିବସେନାର ୫୬, ଏନସିପିର ୫୪ ଏବଂ କଂଗ୍ରେସର ୪୪ ସଦସ୍ୟ ଅଛନ୍ତି । ସରକାର ଗଠନ ନେଇ ଉଦ୍ଧବ ଦାବି ଜଣାଇବା ପରେ ଗତକାଲି ରାତିରେ ରାଜ୍ୟପାଳ ଭଗତ ସିଂହ କୋସିଆରୀ ବିଜେପି ବିଧାୟକ କାଳିଦାସ କୋଲମ୍ବକର ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି ।

ଆଜି ସକାଳ ୮ଟାରେ ରାଜ୍ୟପାଳ, ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି । ପ୍ରୋଟେମ ସ୍ପିକର ଆଜି ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଏବଂ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବେ । ଏସବୁ ଭିତରେ ମହାରାଷ୍ଟ୍ର ରାଜନୀତିରେ ବାଜି ପଲଟିଯାଇଛି । ଶପଥ ଗ୍ରହଣ କରିବାର ୩ ଦିନ ପରେ ଗତକାଲି ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ । ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସୁପ୍ରିମକୋର୍ଟ ତାଙ୍କ ରାୟରେ ଶୁଣାଇଥିଲେ । ହେଲେ ଶକ୍ତି ପରୀକ୍ଷା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ନିଜ ଇସ୍ତଫା ନେଇ ଘୋଷଣା କରିଥିଲେ ଫଡନଭିସ । ପରେ ସେଠାରୁ ରାଜଭବନ ଯାଇ ଭଗତ ସିଂହ କୋସିଆରୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଫଡନଭିସଙ୍କ ପୂର୍ବରୁ ଏନସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ତାଙ୍କ ଇସ୍ତଫା ପତ୍ର ଫଡନଭିସଙ୍କୁ ପ୍ରଦାନ କରିଥିଲେ ।