ଆସନ୍ତାକାଲି ଓଡ଼ିଆ ନବବର୍ଷ! ଜାଣନ୍ତୁ ଓଡ଼ିଆ ନବବର୍ଷରେ କଣ କରିଥାନ୍ତି ଓଡ଼ିଶାବାସୀ

189

କନକ ବ୍ୟୁରୋ : ନବ ବର୍ଷ କହିଲେ ସାଧାରଣତଃ ଜାନୁୟାରୀ ୧ ତାରିଖକୁ ସମସ୍ତେ ବୁଝନ୍ତି । କିନ୍ତୁ ବାସ୍ତବରେ ଆମ ଓଡ଼ିଆ ନବ ବର୍ଷ ହେଉଛି ମହା ବିଷୁବ ସଂକ୍ରାନ୍ତି, ଯାହା ପଣା ସଂକ୍ରାନ୍ତି ନାମରେ ମଧ୍ୟ ବେଶ ପରିଚିତ । ଏହା ବୁଦ୍ଧ ଏବଂ ଓଡ଼ିଆ ମାନଙ୍କର ଏକ ପାରମ୍ପରିକ ପର୍ବ । ଏହା ପ୍ରାୟତଃ ପ୍ରତିବର୍ଷ ଅପ୍ରେଲ ମାସ ୧୪ ତାରିଖରେ ପଡ଼ିଥାଏ । ଯାହାକୁ ପ୍ରତିଟି ଓଡ଼ିଆ ହୃଦୟର ସହିତ ପାଳନ କରିବା ଉଚିତ ।ଆଉ ଆସନ୍ତାକାଲି ହେଉଛି ସେହି ପବିତ୍ର ଦିନ । ଯେଉଁଦିନ ପୂରା ଓଡ଼ିଶାବାସୀ ପାଳନ କରିବେ ଓଡ଼ିଆ ନବବର୍ଷ ।

ଏହି ଦିନକୁ ଭଗବାନ ହନୁମାନଙ୍କ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ବିଶେଷତଃ ନଦୀ କିମ୍ବା କୌଣସି ତୀର୍ଥ ସ୍ଥାନରେ ସ୍ନାନ ସାରି ଭଗବାନ ଶିବ କିମ୍ବା ହନୁମାନଙ୍କ ମନ୍ଦିରକୁ ଯାଇ ଶ୍ରଦ୍ଧାର ସହିତ ଦୀପଦାନ କରିବା ଉଚିତ । ନୂଆ ବର୍ଷରେ ବିଭିନ୍ନ ସ୍ଥାନରେ ମେଳା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ଭିଡ଼ ଜମିଥାଏ ଏହି ମେଳା ମାନଙ୍କରେ । ନୃତ୍ୟ ଓ ଗୀତରେ ଝୁମି ଉଠେ ସମଗ୍ର ଓଡ଼ିଶା ।

ଅପର ପକ୍ଷରେ ଅନ୍ୟ ଏକ ଆକସ୍ମିକ ଦୃଶ୍ୟ ହେଉଛି ଝାମୁ ଯାତ୍ରା । ଝାମୁ ଯାତ୍ରାରେ ମାନସିକ କରିଥିବା ବ୍ୟକ୍ତି ମାନଙ୍କର ନିଆଁରେ ଚାଲିବାର ଦୃଶ୍ୟ ହେଉଛି ନବ ବର୍ଷର ସବୁଠାରୁ ବଡ଼ ଆକର୍ଷଣ । ଏହି ଦିନରେ ମିଠା ଆମ୍ବ,କ୍ଷୀର,ଦହି ଓ ନଡ଼ିଆର ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ ଏକ ପ୍ରକାରର ପାନୀୟ ଦ୍ରବ୍ୟ । ଯାହା ପଣା ନାମରେ ପରିଚିତ । ତେଣୁ ଏହାକୁ ଆଖି ସାମ୍ନାରେ ରଖି ଏହି ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ ।ପଣା ପ୍ରତି ମଧ୍ୟ ଓଡ଼ିଶାବାସୀଙ୍କ ଏକ ଦୁର୍ବଳତା ରହି ଆସିଛି । ଏହି ଦିନରେ ଲୋକମାନେ ଦେବୀଙ୍କ ମନ୍ଦିରକୁ ମଧ୍ୟ ଯାଇଥାନ୍ତି । ବିଶେଷକରି ବ୍ରଦ୍ମପୁରର ତାରା ତାରିଣୀ,କଟକ ଚଣ୍ଡୀ,ବିରଜା ମନ୍ଦିର,ସମଲେଶ୍ୱରୀ ଓ ଶାରଳା ମନ୍ଦିର । ତେବେ ଉତ୍ତର ଓଡ଼ିଶାରେ ଏହି ପର୍ବ ଚଡ଼କ ପର୍ବ ନାମରେ ପରିଚିତ ।