୨ଟି ଆସନରୁ ଲଢିବେ ନିରଞ୍ଜନ! ଘଷିପୁରା ଆସନ ପାଇଁ ଆସନ୍ତାକାଲି ଦାଖଲ କରିବେ ପ୍ରାର୍ଥୀପତ୍ର, ଜାଣନ୍ତୁ ଅନ୍ୟ ଆସନ ପାଇଁ କେବେ ଦାଖଲ କରିବେ ନାମାଙ୍କନ ପତ୍ର

425

କନକ ବ୍ୟୁରୋ : ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ପିସିସି ସଭାପତି । ଘଷିପୁରା ଆସନ ପାଇଁ ଆସନ୍ତାକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ । ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନିରଞ୍ଜନ ଦାଖଲ କରିବେ ପ୍ରାର୍ଥୀପତ୍ର । ଚଳିତ ଥର ୨ଟି ଆସନରେ ନିର୍ବାଚନ ଲଢିବେ ନିରଞ୍ଜନ ।

ଘଷିପୁରା ଓ ଭଣ୍ଡାରୀପୋଖରୀରୁ ଚଳିତ ଥର ନିରଞ୍ଜନ ନିର୍ବାଚନ ଲଢିବେ ବୋଲି କଂଗ୍ରେସ ଅନ୍ଦରମହଲରୁ ସୂଚନା ମିଳିଛି । ଆସନ୍ତାକାଲି ଘଷିପୁରାରୁ ନିରଞ୍ଜନ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଥିବା ବେଳେ ଆସନ୍ତା ୮ ତାରିଖରେ ଭଣ୍ଡାରୀପୋଖରୀରୁ ପିସିସି ସଭାପତି ଦାଖଲ କରିବେ ପ୍ରାର୍ଥୀପତ୍ର ।

ଉଭୟ ଘଷିପୁରା ଓ ଭଣ୍ଡାରୀପୋଖରୀ ପାଇଁ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଆଜି ରାତି ସୁଦ୍ଧା ଏହି ଆସନ ପାଇଁ ନିରଞ୍ଜନଙ୍କ ନାଁରେ ମୋହର ବାଜିବ ବୋଲି ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ଏହାପୂର୍ବରୁ ନିରଞ୍ଜନ କେବଳ ଭଣ୍ଡାରୀପୋଖରୀରୁ ନିର୍ବାଚନ ଲଢିବେ ବୋଲି ଏକପ୍ରକାର ସ୍ଥିର ହୋଇଥିଲା । ତେବେ ଘଷିପୁରାର ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ନିରଞ୍ଜନଙ୍କୁ ଏହି ଆସନରୁ ଲଢିବା ପାଇଁ ଆହ୍ୱାନ ଦେଇଥିଲେ । ଏପରିକି ଦମ ଅଛି ତ ନିରଞ୍ଜନ ଘଷିପୁରାରୁ ଲଢନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଆଉ ବଦ୍ରିଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରି ନିରଞ୍ଜନ ଘଷିପୁରାରୁ ମଧ୍ୟ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ । ତେବେ ହାଣକାଟ ପାଇଁ ଦମ ନାହିଁ କିନ୍ତୁ ଦଳ ଚାହିଁଲେ ଏଠାରେ ନିର୍ବାଚନ ଲଢିବି ଓ ଲୋକ ଚାହିଁଲେ ଏଠାରେ ବିଜୟୀ ହେବି ବୋଲି କହିଥିଲେ ନିରଞ୍ଜନ ।