ଆସନ୍ତାକାଲି ନିଟ୍ ପରୀକ୍ଷା । ରାଜ୍ୟର ୭ ଜିଲ୍ଲା ଓ ୭ ସହରରେ ପରୀକ୍ଷା ହେବ ଅନୁଷ୍ଠିତ, ଭୁବନେଶ୍ୱରରେ ୩୧ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

220

କନକ ବ୍ୟୁରୋ : ଆସନ୍ତାକାଲି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ ନିଟ ପରୀକ୍ଷା । ରାଜ୍ୟର ୭ଟି ଜିଲ୍ଲାର ୭ଟି ସହରରେ ଏହି ପରୀକ୍ଷା ହେବ । ନାସନାଲ ଟେଷ୍ଟିଂ ଏଜେନ୍ସୀ ଗାଇଡଲାଇନ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ସଂପୃକ୍ତ ଜିଲ୍ଲାପାଳ ଓ ମୁନିସିପାଲ୍ କମିସନର ଏ ନେଇ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ କୋଭିଡ୍ ଭୟ ବିନା ପରୀକ୍ଷା ଦେବାକୁ କୁହାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଭୁବନେଶ୍ୱର ସର୍କିଟ ହାଉସରେ ପରୀକ୍ଷା ପରିଚାଳନାକୁ ନେଇ ଆଜି ବୈଠକ ବସିଥିଲା । ଖୋର୍ଦ୍ଧ ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବାବେଳେ ଏଥିରେ ଯୋଗ ଦେଇଥିଲେ ଏଡିଏମ, ନିଟ ରାଜ୍ୟ ସଂଯୋଜକଙ୍କ ସହ ବରିଷ୍ଠ ଅଧିକାରୀ । ପରୀକ୍ଷାର ସୁପରିଚାଳନା ନେଇ ନିଟର ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ କହିଛନ୍ତି ଯେ, ଜେଇଇ ମେନ ଭଳି ନିଟ ପାଇଁ ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ ରୁମ ରହିବ । ଅସୁସ୍ଥ ଥିବା ପରୀକ୍ଷାର୍ଥୀ ସେଠାରେ ପରୀକ୍ଷା ଦେବେ । ସେମାନଙ୍କ ପାଇଁ ୨ ଜଣ ପରୀକ୍ଷା ନିୟନ୍ତ୍ରକ ପିପିଇ କିଟ ପିନ୍ଧି ପରୀକ୍ଷା ପରିଚାଳନା କରିବେ । ବାହାରୁ ଆସୁଥିବା ପିଲାଙ୍କ ପାଇଁ ରାଜଧାନୀରେ ୬ଟି ରହଣୀ କେନ୍ଦ୍ର କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଭୁବନେଶ୍ୱରରେ ମୋଟ ୩୧ଟି ପରୀକ୍ଷା କେନ୍ଦ୍ରକୁ ୯ଟି ଜୋନରେ ବିଭକ୍ତ କରାଯାଇଛି ।