ଖୋଲିବ ଜଗମୋହନ, ଦେଖିବି ଚକାନୟନ ! ଭକ୍ତ ଓ ଭଗବାନଙ୍କ ମଧ୍ୟରେ କମିଲା ଦୂରତା, ୨ ବର୍ଷ ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅତି ନିକଟରୁ ଦର୍ଶନ କରିବେ ଭକ୍ତ

46

କନକ ବ୍ୟୁରୋ ; ୨ ବର୍ଷ ପରେ ଆସନ୍ତାକାଲି ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଆପଣ ଅତି ନିକଟରୁ ଦର୍ଶନ କରିପାରିବେ । ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ, ଖୋଲିବ ଜଗମୋହନ । ମରାମତି ପାଇଁ ବନ୍ଦ ରହିବା ପରେ ରଥଯାତ୍ରା ଉଦେଶ୍ୟରେ ଜଗମୋହନ ଖୋଲିବାକୁ ବିଳମ୍ବିତ କରିବାକୁ ଚାହୁଁଥିଲେ ସରକାର । ତେବେ ହାଇକୋର୍ଟ ଏଥିରେ ବିରକ୍ତି ପ୍ରକାଶ କରି ୧୬ ତାରିଖରେ ଜଗମୋହନ ଖୋଲିବା ପାଇଁ ନିର୍ଦେଶ ଦେଇଥିଲେ ।

ଆସନ୍ତାକାଲି ସକାଳୁ ଖୋଲିବ ପୁରୀ ଶ୍ରୀମନ୍ଦିରର ଜଗମୋହନ । ପ୍ରାୟ ୨ବର୍ଷ ପରେ ଜଗମୋହନ ଖୋଲିବାକୁ ଯାଉଥିବାରୁ ଭକ୍ତଙ୍କ ଭିତରେ ନାହିଁ ନଥିବା ଉତ୍ସାହ । କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅତି ନିକଟରୁ ଦେଖିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ ।

ଜଗମୋହନରେ ଥିବା ଭିତରକାଠ ନିକଟରୁ ଏଣିକି ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । କାରଣ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସୋମବାର ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ଜଗମୋହନ । ଆଉ ଏଭଳି ଏକ ଖବର ଶ୍ରଦ୍ଧାଳୁଙ୍କ ମନରେ ସନ୍ତୋଷ ଆଣିଦେଇଛି । କାରଣ ଠାକୁରଙ୍କୁ ଅତି ପାଖରୁ ଦେଖିବାର ଅଭିଳାଶା ପ୍ରାୟ ସମସ୍ତ ଭକ୍ତଙ୍କ ଭିତରେ ରହିଥାଏ । ଅତି ପାଖରୁ ଚକାଡୋଳା ସହ ଆଖି ମିଶାଇଦେଲେ ମନ ମୋହିଯାଏ । ସବୁ ଦୁଃଖ, ଅବଶୋଷକୁ ଭୁଲି ଅଣାକାରଙ୍କ ସହ ଏକାକାର ହୋଇଯାଏ ଭାବାବେଗରେ ବନ୍ଧା ଭକ୍ତ । ଯେଉଁ ଅପୂର୍ବ ସୁଯୋଗକୁ ଦୁଇବର୍ଷରୁ ଅଧିକ ସମୟଧରି ଅପେକ୍ଷା କରି ରହିଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ ।

ବିପଦସଂକୂଳ ଅବସ୍ଥାରେ ଥିବା ଶ୍ରୀମନ୍ଦିର ଜଗମୋହନର ମରାମତି ଆବଶ୍ୟକ ହୋଇପଡିଥିଲା । ଯେଉଁଥିପାଇଁ ୨୦୧୬ ଜାନୁଆରୀରେ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇ ମତାମତି କାମ ଆରମ୍ଭ କରିଥିଲା ଭାରତୀୟ ପ୍ରତ୍ନତତ୍ୱ ବିଭାଗ- ଏଏସଆଇ । ଆଉ ଏହି ସମୟରେ ବଢିଯାଇଥିଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା । ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷଲକ୍ଷ ଶ୍ରଦ୍ଧାଳୁ କେବଳ ବାହାରକାଠ ନିକଟରୁ ଦିଅଁଙ୍କୁ ଦର୍ଶନ ସାରି ଫେରୁଥିଲେ ।

ଗତ ମାର୍ଚ୍ଚ ୧୬ ତାରିଖରେ ଏଏସଆଇ ମରାମତି କାମ ଶେଷ ହୋଇଥିବା କହିଥିଲେ ମଧ୍ୟ ଜଗମୋହନ ଖୋଲିବାକୁ ବିଳମ୍ବିତ କରିବାକୁ ଚାହୁଁଥିଲା ଶ୍ରୀମନ୍ଦିର ପ୍ରଶାସନ । ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବାରୁ ଅଗଷ୍ଟ ୧ ତାରିଖ ଯାଏଁ ସମୟ ଦେବାକୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା । ହେଲେ ଏଥିରେ ବିରକ୍ତି ପ୍ରକାଶ କରିବା ସହ ଏପ୍ରିଲ ୧୬ ତାରିଖରେ ଜଗମୋହନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

କୋର୍ଟଙ୍କ ନିର୍ଦ୍ଦେଶରେ ଖୋଲିବାକୁ ଯାଉଛି ଜଗମୋହନ । ହେଲେ ଭକ୍ତଙ୍କ ଭିତରେ ଅବଶୋଷ । କାରଣ ଶ୍ରୀମନ୍ଦିର ଗର୍ଭଗୃହକୁ ସାଧାରଣ ଭକ୍ତଙ୍କ ଉପରେ ରହିଛି କଟକଣା । ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ ବିପି ଦାଶଙ୍କ ସୁପାରିସ ଅନୁସାରେ ସାହାଣମେଲା ଦର୍ଶନ ଓ ପାରମାଣିକ ଦର୍ଶନ ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ । ହେଲେ ରତ୍ନସିଂହାସନ ନିକଟକୁ ଯାଇ ଠାକୁରଙ୍କୁ ଆଖୁ ପୁରାଇ ଦେଖିବାର ଅଭିଳାଶା ରଖୁଥିବା ଦର୍ଶନାର୍ଥୀଙ୍କୁ ଏହି କଟକଣା ନିରାଶ କରିଛି ।