ନାମାଙ୍କନ ବେଳେ ନେତାଙ୍କ ପତିଆରା ପ୍ରଦର୍ଶନ । ଆସନ୍ତାକାଲି ସରିବ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ।

91

କନକ ବ୍ୟୁରୋ: ନାମାଙ୍କନ ଦାଖଲ ସହ ଶକ୍ତି ପ୍ରଦର୍ଶନ କରିଛି ନବରଙ୍ଗପୁର ବିଜେଡି । ଜିଲ୍ଲାର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସହ ନବରଙ୍ଗପୁର ବିଧାୟିକା ପ୍ରାର୍ଥୀନୀ କୌଶଲ୍ୟା ପ୍ରଧାନୀ, ଡାବୁଗାଁ ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ, ଉମରକୋଟ ବିଧାୟିକା ପ୍ରାର୍ଥୀନୀ ନବିନା ନାୟକ ଓ ଝରିଗାଁ ବିଧାୟକ ପ୍ରାର୍ଥୀ ରମେଶ ମାଝୀ ଏକ ବିଶାଳ ରାଲିରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ପୀଠରୁ ଆଶୀର୍ବାଦ ନେଲା ପରେ ରାଲି କରିଛନ୍ତି । ପ୍ରଚଣ୍ଡ ଖରାରେ ମଧ୍ୟ ହଜାର ହଜାର ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସେହିଭଳି ଗୁଣୁପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ରଘୁନାଥ ଗମାଙ୍ଗ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ବେଳେ ବିରାଟ ଶୋଭାଯାତ୍ରାରେ ସମର୍ଥକଙ୍କ ଗହଣରେ ରୋଡ଼ ସୋ’ରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଶୋଭାଯାତ୍ରାରେ ଗୁଣୁପୁର ଉପଜିଲ୍ଲାପାଳଙ୍କ ନିକଟରେ ପହଂଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗୁଡ଼ ବୁକରେ ରହି ଦ୍ୱିତୀୟ ଥର ବିଜେଡ଼ି ଟିକଟ ହାତେଇଛନ୍ତି ରଘୁନାଥ ଗମାଙ୍ଗ ।

ସେପଟେ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଦଳ ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରିବା ସହ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଚିଥିଲା ବିଜେପି ପ୍ରାର୍ଥୀଙ୍କ ଶୋଭାଯାତ୍ରା । ପରେ ବିଜେପି ବିଧାୟକ ପ୍ରାର୍ଥୀ ସମର୍ଥକଙ୍କ ସହ ରିଟର୍ଣ୍ଣିଂ ଅଫିସର କିରନ ଦୀପ କୌରସାହୋଟାଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।