କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାରେ ୬୪ଟି ବ୍ଲକରେ ଭୋଟ୍ ଗ୍ରହଣ କରାଯିବ । ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ । ଚତୁର୍ଥ ପର୍ଯ୍ୟାୟରେ ୧୨୫୪ଟି ଗ୍ରାମ ପଞ୍ଚାୟତ ରହିଛି । ୧୭ ହଜାର ୮୯ଟି ବୁଥରେ ଭୋଟ୍ ଗ୍ରହଣ ହେବ । ମୋଟ୍ ୫୧ ଲକ୍ଷ ୩୧ ହଜାର ୭୨୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

Advertisment

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି । ଏବେ ବୁଥରେ ପହଞ୍ଚୁଛନ୍ତି ପୁଲିଂ ଅଧିକାରୀ । ବୁଥ୍ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନିଟି ପର୍ଯ୍ୟାୟରେ ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିବାରୁ ଚତୁର୍ଥ ପର୍ଯ୍ୟାୟରେ କିପରି ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରାଯିବ ତାହା ବଡ଼ ଚ୍ୟାଲେଞ୍ଜ ହେବ ।

ସେପଟେ, ତୃତୀୟ ପର୍ଯ୍ୟାୟ ମତଦାନରେ ୭୧ ପ୍ରତିଶତ ମତଦାନ ହୋଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ତୃତୀୟ ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୧୮ ହଜାର ୪୯୫ ବୁଥରେ ଭୋଟ ଗ୍ରହଣ ଶେଷ ହୋଇଛି । ଯାଜପୁର ଜିଲ୍ଲା ବିଂଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ନିର୍ବାଚନ କମିସନ । ଏସଂପର୍କରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ଡିଜି ଓ ଯାଜପୁର ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିସନ ।

ସେହିପରି ମାଓପ୍ରବଣ ଅଂଚଳରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ମାଲକାନଗିରି ଜିଲ୍ଲାର ମାଥିଲି, ପୋଡିଆ ବ୍ଲକ, କନ୍ଧମାଳ ଜିଲ୍ଲାର ଫିଙ୍ଗିରିଆରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ହୋଇଛି । କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ନିର୍ବାଚନ ବାଧାପ୍ରାପ୍ତ ହୋଇଛି । ଏସଂପର୍କରେ ସଂପୃକ୍ତ ଜିଲ୍ଲାପାଳଙ୍କ ଠାରୁ ବିସ୍ତୃତ ରିପୋର୍ଟ ପାଇବା ପରେ ଅନୁଧ୍ୟାନ କରି ପଦବର୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିସନ ।