ଆସନ୍ତାକାଲି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: ସଜେଇ ହୋଇଛି ଅକ୍ଷର ଭୂମି

115

କନକ ବ୍ୟୁରୋ: ଭାଷା ହିଁ ଭବିଷ୍ୟତ, ଏହି ପ୍ରେରଣା ନେଇ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି, ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମଳନୀ । ଭୁବନେଶ୍ୱର ଜନତା ମୈଦାନରେ ହେବାକୁ ଥିବା ଏହି ଭାଷା ସମ୍ମିଳନୀ, ୩ ଦିନ ଧରି ଚାଲିବ । ସାରା ବିଶ୍ୱରେ ଓଡ଼ିଆ ଭାଷାର ପ୍ରଚାର-ପ୍ରସାର, ସଂରକ୍ଷଣ ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବା ଉର୍ଦ୍ଦେଶ୍ୟରେ ଏଭଳି ଏକ ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ଏହି ସମ୍ମିଳନୀରେ ଦେଶ, ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ଭାଷା ପ୍ରେମୀ ଯୋଗ ଦେବେ । ଏଥିରେ ଭାଷାର ଉନ୍ନତି ଓ ପ୍ରସାର ପାଇଁ ୧୬ଟି ଅଧିବେଶନରେ ମାନସ-ମନ୍ଥନ ହେବ ।

ଯେଉଁ ସବୁ ମହାମନିଷିଙ୍କ ସଂଗ୍ରାମ, ସଂଘର୍ଷ ଓ ସାଧନା ଯୋଗୁଁ ଓଡ଼ିଆଙ୍କୁ ପରିଚୟ ମିଳିଛି, କୋଟି କୋଟି ଓଡ଼ିଆଙ୍କୁ ଏକାଠି ବାନ୍ଧି ରଖିଛି ପାରିିଛି ଏବଂ ଦେଶର ପ୍ରଥମ ଭାଷା ଭିତିକ ରାଜ୍ୟଭାବେ ଆମେ ଗର୍ବ କରୁଛେ, ସେଇ ସବୁ ସଂଘର୍ଷର ପ୍ରତିକାତ୍ମକ ଚିତ୍ର ସବୁ ଭାଷା ସମ୍ମିଳନୀରେ ଶୋଭ ପାଇବାକୁ ଯାଉଛି । ଭଦ୍ରକର ଇରମ୍ ସଂଘର୍ଷ କୁହନ୍ତୁ କିମ୍ବା ବାଜି ରାଉତଙ୍କ ସାହାସିକତା କହୁନ୍ତୁ । ସେହିପରି ଓଡ଼ିଆ ଭାଷାରେ ପ୍ରାଣ ଭରି ଦେଇଥିବା ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ଗୋପବନ୍ଧୁ ଦାସ, ମଧୁସୂଧନ ଦାସ, ମାଳତି ଚୌଧୁରୀ ଏମିତି ଅନେକ ସାହିତ୍ୟ ସ୍ରଷ୍ଟା ଓ ସମାଜିକ ସଂସ୍କାରକଙ୍କ ପ୍ରତିମୁର୍ତି ଆମ ଭାଷା ସମ୍ମିଳନୀର ଶୋଭା ବଢ଼ାଇବ ।

ରାତି ପାହିଲେ, ଉଇଁବ ଏକ ନୂଆ ସକାଳ । ଯେଉଁ ସକାଳରେ ଭାବର ଭାଷା, ଭାବାବେଗର ଭାଷା, ଆମ ମା’ର ଭାଷା, ଓଡ଼ିଆକୁ ନେଇ ଏଜାତି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବ । ଏଥିପାଇଁ ଭାଷା ପ୍ରେମୀ, ସାହିତ୍ୟ ପ୍ରେମୀଙ୍କଠାରୁ ଆରମ୍ଭ କରି ପ୍ରତିଟି ଓଡ଼ିଆ ଉତ୍ସାହିତ । ମାଟିର ବନ୍ଦନା ବନ୍ଦେ ଉକ୍ରଳ ଜନନୀ ଗାନ ସହ ଦିନ ୧୧ଟାରେ ଉଦ୍ଘାଟିତ ଭାଷା ସମ୍ମିଳନୀ । ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଅନ୍ତର୍ଜାତୀୟସ୍ତରର ଭାଷାବିତ୍, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀ, ଭାଷା ପ୍ରେମୀ ଯୋଗ ଦେବେ । ଭାଷାର ଉନ୍ନତି ଓ ପ୍ରଚାର-ପ୍ରସାର ପାଇଁ ୧୬ଟି ଅଧିବେଶନରେ ମନ୍ଥନ ହେବ । ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ସମ୍ମିଳନୀରେ ସାମିଲ୍ ହେବେ ।

ଏହି ଅବସରରେ ଓଡିଆ ଭାଷା ଓ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ । ଏଥିସହ ଜ୍ଞାନପୀଠ ପୁରସ୍କାର ବିଜେତା ଓ ପଦ୍ମପୁରସ୍କାର ବିଜେତା, ସାହିତ୍ୟ ଆକାଦେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ, କବୀର ସମ୍ମାନ ପୁରସ୍କାର ପ୍ରାପ୍ତ, ରାଜ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯିବ ।