ରାତି ପାହିଲେ ଓଡିଶାରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍ । ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ହେବ ମତଦାନ । ଭୋଟ ଦେବେ ୬୦ଲକ୍ଷ ମତଦାତା

୭ହଜାର ୨୩୩ବୁଥରେ ପଡିବ ଭୋଟ; ୩୦ଲକ୍ଷ ମହିଳା ଓ ୨୯ଲକ୍ଷ ପୁରୁଷ କରିବେ ମତଦାନ

291

କନକ ବ୍ୟୁରୋ: ଆସନ୍ତାକାଲି ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ । ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ହେବ ମତଦାନ । ୬୦ଲକ୍ଷ ମତଦାତାଙ୍କ ମଧ୍ୟରେ ୩୦ଲକ୍ଷ ମହିଳା ଭୋଟର ରହିଥିବା ବେଳେ ୨୯ଲକ୍ଷ ପୁରୁଷ ମତଦାତା ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୭ହଜାର ୨୩୩ବୁଥରେ ପଡିବ ଭୋଟ ।

ଆସନ୍ତାକାଲି ପଡିବ ଭୋଟ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମୈଦାନରେ ଅଛନ୍ତି ୨୧୭ଜଣ ପ୍ରାର୍ଥୀ । ଭୋଟରଙ୍କ ନିଷ୍ପତି ଆସନ୍ତା ୫ବର୍ଷ ଯାଏଁ ନେତାଙ୍କ ରାଜନୈତିକ ଭବିଷ୍ୟତ ସହ ଯୋଡି ହୋଇରହିବ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଏହି ୪ଟି ଲୋକସଭା ଆସନ ପାଇଁ ୨୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ଇଭିଏମରେ ବନ୍ଦ ହେବ । ସେହିପରି ୨୮ଟି ବିଧାନସଭା ପାଇଁ ୧୯୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ନଜର ପକାନ୍ତୁ ପ୍ରଥମ ପର୍ଯ୍ୟାୟର କେଉଁ ଲୋକସଭା ଆସନ ଅଧିନରେ କେଉଁ କେଉଁ ବିଧାନସଭା ଆସନ ରହିଛି ।

 ବ୍ରହ୍ମପୁର ଲୋକସଭା ଆସନ ଅଧିନରେ ରହିଛି ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଓ ପାରଳାଖେମୁଣ୍ଡି ।

 କୋରାପୁଟ ଲୋକସଭା ଆସନ ଅଧିନରେ ରହିଛି ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗି ।

 ସେହିପରି ନବରଙ୍ଗପୁର ଲୋକସଭା ଆସନ ଅଧିନରେ ରହିଛି ଉମରକୋଟ୍, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି ଓ ଚିତ୍ରକୋଣ୍ଡା ।

 କଳାହାଣ୍ଡି ଲୋକସଭା ଆସନ ଅଧିନରେ ରହିଛି ନୂଆପଡା, ଖରିଆର, ଲାଂଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା ଓ ନର୍ଲା ବିଧାନସଭା ଆସନ ।

ପ୍ରଥମ ପର୍ଯ୍ୟାୟରେ ଭୋଟ ପଡିବାକୁ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ରହିଛି ୭ହଜାର ୨୩୩ଟି ବୁଥ୍ । ଏଥିମଧ୍ୟରୁ ୨୩୭୫ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୦ଲକ୍ଷ ୩ହଜାର ୭୦୭ମତଦାତ ରହିଛନ୍ତି । ତେବେ ଏଥିରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ୩୦ଲକ୍ଷ ୩୦ହଜାର ୨୨୨ଜଣ ମହିଳା ଭୋଟର ରହିଥିବା ବେଳେ ୨୯ଲକ୍ଷ ୭୨ହଜାର ୯୨୫ଜଣ ପୁରୁଷ ମତଦାତା ରହିଛନ୍ତି । ଶୁକ୍ରବାର ଦିନ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରୀୟାରେ ନିୟୋଜିତ ହୋଇଛନ୍ତି ୪୭ହଜାର ୮୦୫ଜଣ କର୍ମଚାରୀ ।

polling booth in jungle

ରାଜ୍ୟର ୩୦ଟି ବୁଥରେ କେବଳ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗୋଟିଏ ବୁଥରେ ସମସ୍ତ ଭିନ୍ନକ୍ଷମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଭିନ୍ନକ୍ଷମ ମତଦାତାଙ୍କ ଯାତାୟତ ପାଇଁ ୨ହଜାର ୬୧୭ଟି ଗାଡି ବ୍ୟବସ୍ଥା କରାଯାଇଛି । ଏହାସହ ୧୯ହଜାର ୫୮୬ଡାକ ବ୍ୟାଲେଟ ଇସ୍ୟୁ କରାଯାଇଥିବା ବେଳେ ୧୮ହଜାର ୮୬ଟି ଡାକ ବ୍ୟାଲେଟ ରିସିଭ କରାଯାଇଛି ।

ସେହିଭଳି ଅତି ସମ୍ବେଦନଶୀଳ ୭୭୭ଟି ବୁଥରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି । ୨୧୫ଟି ବୁଥରେ ସିସିଟିଭି, ୮୮୬ଟି ବୁଥରେ ୱେବ କାଷ୍ଟିଂ, ୪୦୮ ବୁଥ୍ରେ ମାଇକ୍ରୋ ଅବଜରବର ଓ ୨୬୦ଟି ବୁଥ୍ରେ ମତଦାନର ଭିଡିଓଗ୍ରାଫି କରାଯିବ ।