କାଲି ସରପଞ୍ଚଙ୍କ ସହ କଥା ହେବେ ନବୀନ । ଭିଡ଼ିଓ କନଫରେନ୍ସି ଜରିଆରେ କରୋନା ଯୋଦ୍ଧାଙ୍କ ସହ କରିବେ ସମୀକ୍ଷା । କେମିତି ସରପଞ୍ଚ ତୁଲାଇବେ ଜିଲ୍ଲାପାଳ କ୍ଷମତା ବୁଝାଇବେ ମୁଖ୍ୟମନ୍ତ୍ରୀ ।

243

କନକ ବ୍ୟୁରୋ: ଆସନ୍ତାକାଲି ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୬୭୯୮ଟି ପଞ୍ଚାୟତର ସରପଞ୍ଚଙ୍କ ସହ ଭିଡ଼ିଓ କନଫରେନ୍ସି ଜରିଆରେ କରୋନା ମୁକାବିଲା ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

କରୋନା ସହ ଓଡ଼ିଶା କରୁଥିବା ଯୁଦ୍ଧରେ ବିଜୟ ପାଇଁ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ପରେ ପଦକ୍ଷେପ ନେଉଛନ୍ତି । ତେଣୁ ତୃଣମୂଳସ୍ତରକୁ କରୋନା ବ୍ୟାପିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଦୁଇ ଦିନ ତଳେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ । ବାହାର ରାଜ୍ୟରୁ ଗାଁକୁ ଯେଉଁମାନେ ଆସୁଛନ୍ତି ବା ଆସିବେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ । ଏନେଇ ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେସନ ସୁବିଧା ରଖାଯିବ ବୋଲି ସରପଞ୍ଚଙ୍କୁ କ୍ଷମତା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ସେହି କାର୍ଯ୍ୟକୁ କିଭଳି ସୂଚାରୁ ।ରୂପେ ସରପଞ୍ଚମାନେ ତୁଲାଇବେ ସେନେଇ ପ୍ରତି ପଞ୍ଚାୟତର ସରପଞ୍ଚମାନଙ୍କ ସହ ଆଲୋଚନା କରିବେ ନବୀନ ।

ତେବେ କୋଭିଡ୍-୧୯ ନିମୟମାନୁସାରେ କରୋନା ସମସ୍ୟାକୁ ଦୃଷ୍ଟିରେ ରଖି ମାନବିକତା ଦେଖାଇବାକୁ ପଡ଼ିବ । ତେଣୁ ଅନ୍ୟରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ କରିଛନ୍ତି ସରକାର । ପ୍ରତି ପଞ୍ଚାୟତରେ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଫେରୁଥିବା ଲୋକଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରଖାଯିବ । ତେବେ କୋଭିଡ୍-୧୯ ବିପର୍ଯ୍ୟୟ ଆଇନ୍ ମୁତାବକ ଏହି କାର୍ଯ୍ୟକୁ ତୁଲାଇବା ପାଇଁ ପ୍ରତି ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରି ଐତିହାସିକ ନିଷ୍ପତି ନେଇଥିଲେ ରାଜ୍ୟ ସରକାର । ତେବେ ଅସାଧାରଣ ପରିସ୍ଥିତି ଓ ଅଦୃଶ୍ୟ ଶତ୍ରୁ ସହ ମୁକାବିଲା ପାଇଁ ଆପଣଙ୍କ ଗାଁ ସରପଞ୍ଚ ମାନଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଯେଉଁମାନଙ୍କ ୧୪ ଦିନିଆ କ୍ୱାରେଣ୍ଟାଇନ ପିରିୟଡ ଶେଷ ହେବ ତତକ୍ଷଣାତ ସେମାନଙ୍କୁ ୨ ହଜାର ଟଙ୍କା ସହାୟତା ରାଜ୍ୟ ସରକାରଙ୍କ ତରଫରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏନେଇ ରାଜ୍ୟର ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ ଭଳି କ୍ଷମତା ପ୍ରଦାନ କରାଯାଇଛି । ତେବେ କୋଭିଡ୍-୧୯ ମୁକାବିଲା ନିୟମାନୁସାରେ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦେଇପାରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ନବୀନ କହିଥିଲେ ।