ଆସନ୍ତାକାଲି ଭୋଟ । ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇସାରା କରିବ ଉପନିର୍ବାଚନ । ସରକାରଙ୍କ କୋଭିଡ ପରିଚାଳନାର ହେବ ଅଗ୍ନିପରୀକ୍ଷା । ବାଲେଶ୍ୱରରେ ଗଡ଼ ରକ୍ଷା ବିଜେପି ପାଇଁ ଏସିଡ ଟେଷ୍ଟ । ଜଣାପଡ଼ିବ ଆଗକୁ କି ପଛକୁ ଯାଉଛି କଂଗ୍ରେସ

183

କନକ ବ୍ୟୁରୋ : ଆସନ୍ତାକାଲି ନିର୍ବାଚନ । କେବଳ ଦୁଇଟି ନିର୍ବାଚନ ମଣ୍ଡଳିରେ ଏହି ଉପ ନିର୍ବାଚନ ହେଉଥିଲେ ବି ବହୁ ଦୃଷ୍ଟିରୁ ଏହାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ବହୁ ଗୁରୁତ୍ୱ ଦିଆଯାଉଛି । କାରଣ ଏହାର ଫଳାଫଳ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇସାରା କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ଅଛି ନା ନାହିଁ, ସରକାରଙ୍କ କୋଭିଡ ପରିଚାଳନାକୁ ଲୋକେ କିଭଳି ଭାବରେ ଗ୍ରହଣ କରିଛନ୍ତି, ତାହା ଏହି ନିର୍ବାଚନରୁ ଜଣାପଡିବ ।

ସେପଟେ ବିଜେପି ବାଲେଶ୍ୱରରେ ଗଡ ରକ୍ଷା କରିପାରୁଛି କି ନାହିଁ, ଓଡିଶାରେ ମୋଦିଙ୍କ ନାଁରେ ଭୋଟ ଆସିବ କି ନାହିଁ, ତା’ର ମଧ୍ୟ ପରୀକ୍ଷା ହେବ । ଏହାଛଡା କଂଗ୍ରେସ ପ୍ରତି ଲୋକଙ୍କ କଣ ମନୋଭାବ ରହିଛି, ତା’ର ମଧ୍ୟ ପରୀକ୍ଷା ହେବ ।

ନିର୍ବାଚନ ଆସେ ଓ ଯାଏ । କିନ୍ତୁ ନିର୍ବାଚନ ଫଳାଫଳା ଏଭଳି କିଛି ବାର୍ତା ଆଣେ, ଯାହା ଜନତାଙ୍କ ମୁଡ୍ ଓ ନେତାଙ୍କୁ ଆତ୍ମସମୀକ୍ଷା କରିବାର ସୁଯୋଗ ଆଣେ । ବାଲେଶ୍ୱର ସଦର ଏବଂ ତିର୍ତୋଲ ଉପ-ନିର୍ବାଚନ ଫଳାଫଳ ସେମିତି କିଛି ପ୍ରସଙ୍ଗକୁ ଉଜାଗର କରିବ, ସେତେବେଳେ ଆସନ୍ତା ସପ୍ତାହରେ ଜନତାଙ୍କ ରାୟ ଆସିବ ।

ଏହି ଦୁଇଟି ଉପ-ନିର୍ବାଚନରୁ ଶାସକ ବିଜେଡି ପାଇଁ କ’ଣ ରହିବ ବାର୍ତା । ନିର୍ବାଚନ ଫଳାଫଳ ଏମିତି ଏକାଧିକ ପ୍ରସଙ୍ଗର ସୂଚକ ଭାବେ ସାମ୍ନାକୁ ଆସିବ, ଯାହା ବିଜେଡିକୁ ଉତ୍ସାହିତ କିମ୍ବା ଆତ୍ମସମୀକ୍ଷାର ଅବକାଶ ସୃଷ୍ଟି କରିବ । ଉପ-ନିର୍ବାଚନ ଫଳାଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢ଼ିଛି ନା’ କମିଛି ତାର ପ୍ରମାଣ ଦେବ । ସରକାର କିଭଳି କୋଭିଡ୍ ପରିଚାଳନା କରିଛନ୍ତି ତାହା ଏହି ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହେବ । ଏହାସହ ଲକ୍ଡାଉନ୍ ଓ ସଟ୍ଡାଉନ୍କୁ ଜନତା କିଭଳି ଗ୍ରହଣ କରିଛନ୍ତି, ତାହା ମଧ୍ୟ ଜଣାପଡ଼ିବ । ଶାସକ ବିଜେଡିର ସଂଗଠନ ମଜବୁତ ଅଛି ନା’ ଦୁର୍ବଳ ହୋଇଛି ଭୋଟର୍ ସ୍ପଷ୍ଟ କରିବେ ।

କେବଳ ବିଜେଡି ନୁହେଁ ବିଜେପି ପାଇଁ ମଧ୍ୟ ସାମନ ଢ଼ଙ୍ଗରେ କିଛି ବାର୍ତା ଆଣିବ ବାଲେଶ୍ୱର ଓ ତିର୍ତୋଲ ଫଳାଫଳ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗ୍ରହଣୀୟତା, ମୋଦିଙ୍କ ଲୋକ ପ୍ରିୟତା, ଦଳୀୟ ସଂଗଠନ ଭଳି ଏକାଧିକ ପ୍ରସଙ୍ଗରେ ସ୍ପଷ୍ଟ ମତ ଦେଇପାରନ୍ତି ଭୋଟର୍ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାର ଏକ ପରୀକ୍ଷା ହେବ । ବିଜେପିର ବାଲେଶ୍ୱର ଗଡ଼ ରହୁଛି ନା ନାହିଁ ଏବଂ ତିର୍ତୋଲ ଗଡ଼ ଭେଦିବାର କ୍ଷମତା ଅଛି ନା ନାହିଁ ପ୍ରମାଣିତ ହେବ । କେନ୍ଦ୍ରର ସହାୟତାରେ ଓଡ଼ିଶାର ଜନତା ଖୁସ୍ ନା ନାହିଁ ଏହି ଫଳାଫଳରୁ ଜଣାପଡ଼ିବ । ଏହାସହ ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ କେତେ ପ୍ରଭାବ ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ।

କଂଗ୍ରେସ ପାଇଁ ମଧ୍ୟ ବାଲେଶ୍ୱର ଓ ତିର୍ତୋଲ ନିର୍ବାଚନ ଫଳାଫଳ ଏକ ନୂଆ ରାଜନୈତିକ ଦିଗ ପାଇଁ ବାଟ ଦେଖାଇପାରେ । କାରଣ, ବାଲେଶ୍ୱରରେ ମହିଳା ପ୍ରାର୍ଥୀ ଏବଂ ତିର୍ତୋଲରେ ଯୁବ ନେତୃତତ୍ୱ ଉପରେ ଆସ୍ତା ରଖିଛି ଦଳ । କଂଗ୍ରେସ ଭୋଟ୍ ଅତୁଟ ଅଛି ନା ନାହିଁ ଉପ-ନିର୍ବାଚନ ଫଳାଫଳ ସ୍ପଷ୍ଟ କରିବ । କଂଗ୍ରେସର ନୂଆ ଚେହେରା ଓ ଯୁବ ଚେହେରା ରଣନୀତି, କାମ ଦେଉଛି ନା ନାହିଁ ତାହା ପ୍ରମାଣିତ ହେବ । ନୂଆ ପ୍ରଭାରୀ କେତେ ପ୍ରଭାବଶାଳୀ ତାହା ଜଣାପଡ଼ିବ । କେନ୍ଦ୍ର ଓ ରାଜ୍ୟର ବିଫଳତାକୁ ଠିକ୍ ଭାବେରେ ଉପସ୍ଥାପନ କରିପାରିଛି ବୋଲି ଧରାଯିବ ।