ସଂରକ୍ଷଣ ପାଇଁ ସୁବିଧା ନାହିଁ । ଅଭାବୀ ଦରରେ ବିକ୍ରି ହେଉଛି ଟମାଟୋ । ଚିନ୍ତାରେ ଗରଦପୁର ଏବଂ ମାର୍ଶାଘାଈ ବ୍ଲକର ଚାଷୀ 

87

କନକ ବ୍ୟୁରୋ: ଅମଳ ସମୟରେ ସାଗ ମାଛ ଦରରେ ବଜାରରେ ବିକ୍ରୟ ହେଉଥିଲା ପନିପରିବା ପରିସ୍ଥିତି ଏପରି ହୋଇଛି ଏବେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି ଚାଷି  । ହଜାର ହଜାର ଟଙ୍କା ଖର୍ଚ୍ଚ କରି କରାଯାଇଥିବ ଚାଷରୁ ଚାଷିର ପରିଶ୍ରମକୁ ଛାଡ ମୁଳବି ଊଠିବା କଷ୍ଟକର ବୋଲି ଅଭିଯୋଗ କରିଛନ୍ତି ଚାଷି  । ଶୀତଳ ଭଣ୍ଡାର ନଥିବାରୁ ସଂରକ୍ଷଣ ହୋଇନପାରି ଅଭାବି ବିକ୍ରିର ସମ୍ବମୁଖୀନ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଚାଷି  ।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ଏବଂ ମାର୍ଶାଘାଈ ବ୍ଲକ ପନିପରିବା ଚାଷର ପେଣ୍ଠସ୍ଥଳ କହିଲେ ଅତ୍ୟୁକ୍ତି ହେବନାହିଁ  । ଏହି ଦୁଇ ବ୍ଲକରେ ହଜାର ହଜାର ହେକ୍ଟର ଚାଷ ଜମିରେ ଚାଷି ମାନେ ବିଭିନ୍ନ ପନିପରିବା ଚାଷ କରିଥାନ୍ତି  ।  ପୋଟଳ , ଭେଣ୍ଡି , କଖାରୁ , ବାଇଗଣ , କଲରା , କୋବି , ଝୁଡଙ୍ଗ, କଲରା ଏବଂ ଟମାଟୋ ବହୁତ ପରିମାଣରେ ଚାଷ ହୋଇଥାଏ  । ଚଳିତ ବର୍ଷ ଟମାଟୋ ଫସଲ ଭଲ ହୋଇଥିବାରୁ ଦୁଇ ପଇସା ରୋଜଗାର ଆଶା ରଖିଥିଲେ ଚାଷୀ  । କିନ୍ତୁ ସଂରକ୍ଷଣର ସୁବିଧା ନଥିବାରୁ ସାଗ ମାଛ ଦରରେ ନିଜ ଉତ୍ପାଦିତ ଫସଲ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଚାଷୀକୁ ଉପଯୁକ୍ତ ମୂଲ୍ୟ ଓ ଲାଭ ପାଇ ପାରୁ ନାହିଁ  ।  ଚାଷ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଖର୍ଚ୍ଚକୁ ହିସାବ କଲେ ମୁଳ ଧନ ଉଠୁନଥିବାର ଅଭିଯୋଗ କରିଛନ୍ତି ଗରଦପୁର ଏବଂ ମାର୍ଶାଘାଈ ବ୍ଲକର ଚାଷି  । ଫସଲ ସଂରକ୍ଷଣ ସମସ୍ୟା ସାଜିଛି ମୁଖ୍ୟ ପ୍ରତିବନ୍ଧକ  ।

ଗରଦପୁର ଏବଂ ମର୍ଶାଘାଈ ବ୍ଲକରେ ଉତ୍ପାଦିତ ପନିପରିବା ସ୍ଥାନିୟ ଅଂଚଳର ବିଭିନ୍ନ ସାପ୍ତାହିକ ହାଟ ସହିତ ବାହାର ଜିଲ୍ଲାକୁ ବିକ୍ରିୟ ହୋଇଥାଏ  । କିନ୍ତୁ ଚାଷି ଉତ୍ପାଦନ କରୁଥିବା ଫସଲକୁ ସଂରକ୍ଷିତ କରି ରଖିବାର କୈାଣସି ବ୍ୟବସ୍ଥା ନଥିବାରୁ ବିଭିନ୍ନ ସମୟରେ ପନିପରିବା ପଚିସଢି ନଷ୍ଟ ହେବା ସହିତ ଅଭାବି ବିକ୍ରିର ସମ୍ମୁଖୀନ ହୋଇଥାନ୍ତି ଚାଷି ମାନେ  । କେନ୍ଦ୍ରାପଡା ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ଉତ୍ପାଦିତ ଫସଲକୁ ସଂରକ୍ଷିତ କରି ରଖିବା ସମ୍ଭବ ହୋଇପାରୁନାହିଁ  । ଫଳରେ ଅମଳ ସମୟରେ କମ ଦରରେ ବିକ୍ରିର ସମ୍ମୁଖୀନ ହେଉଛନ୍ତି ଚାଷିକୁଳ  ।  ଶିତଳ ଭଣ୍ଡାରଟିଏ ଥିଲେ ଅମଳ ହେଉଥିବା ପନିପରିବାକୁ ସଂରକ୍ଷଣ କରି ରଖାଯାଇ ପାରନ୍ତା ଏବଂ ଏଥିରୁ ଲାଭ ମିଳିପାରନ୍ତା ବୋଲି କହିଛନ୍ତି ଚାଷୀ  ।

ଚାଷି ମାନଙ୍କର ଉତ୍ପାଦିତ ଫସଲର ବିକ୍ରିବଟା ପାଇଁ ଉଚିତ ବ୍ୟବସ୍ଥା ଗ୍ରହଣ କରିବା ସହିତ କେନ୍ଦ୍ରାପଡା ଜିଲ୍ଲାରେ ଯଥାଶିଘ୍ର ଏକ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ଚାଷି ମାନେ ଦାବି କରିଛନ୍ତି