କନକ ବ୍ୟୁରୋ : ଦେଶରେ ହୁ ହୁ ହୋଇ ବଢୁଛି ଟମାଟୋ ଦର । ଏହି ଦର କେବେ ଖସିବ ତାହା କହିବା ମୁସ୍କିଲ । ଟମାଟୋର  ଏଭଳି ଦରବୃଦ୍ଧି ପୂର୍ବରୁ କେବେ ଦେଖିନଥିଲେ ଖାଉଟି । ଯେଉଁଥିପହାଣ୍ଡିଶାଳରେ ଏବେ ହାହାକାର ପଡିଛି । ଟମାଟୋ ଦର ହ୍ରାସ କରିବାକୁ ସରକାର ବିଭିନ୍ନ ଉପାୟ ଆପଣାଉଥିଲେ ମଧ୍ୟ ଦର କମିବା ପରିବର୍ତ୍ତେ ବଢି ଚାଲିଛି । ଏବେ ଦେଶର କିଛି ସ୍ଥାନରେ ଟମାଟୋ ଦର ୨୫୦ ଟଙ୍କାରୁ ଅଧିକ ରହିଥିବା ବେଳେ ଚଣ୍ଡିଗଡର ଫୁଟକର ବଜାରରେ ଏହି ଦର କିଲୋଗ୍ରାମ ପିଛା ୩୫୦ ଟଙ୍କାରୁ ଅଧିକ ରହିଛି ।

Advertisment

ସରକାରଙ୍କ ପକ୍ଷରୁ ଟମାଟୋ ଉତ୍ପାଦିତ ହେଉଥିବା ରାଜ୍ୟରୁ ଏହାକୁ କିଣି ଅନ୍ୟ ରାଜ୍ୟରେ ବିକ୍ରି କରିବାକୁ ପ୍ରୟାସ କରିଛନ୍ତି । ଏହାସତ୍ତେ୍ୱ ମଧ୍ୟ ଦର କମିବାର ନାଁ ଧରୁନାହିଁ । ସ୍ଥିତି ଏମିତି ହେଲାଣି ଯେ, ଗୋଟିଏ କିଲୋ ଟମାଟୋ ମୂଲ୍ୟରେ ୨ ଲିଟର ପେଟ୍ରୋଲ କିଣିପାରିବେ । ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଟମାଟୋ ଉତ୍ପାଦନ କରୁଥିବା ଦେଶ ହେଉଛି ଭାରତ । କିନ୍ତୁ ଚଳିତବର୍ଷ ମୌସୁମୀ ଆଗମନରେ ବିଳମ୍ବ କାରଣରୁ ଟମାଟୋ ଉତ୍ପାଦନ ପ୍ରଭାବିତ ହୋଇଥିଲା । ଯେଉଁଥିପାଇଁ ଟମାଟୋ ଦର ଏବେ ଆକାଶଛୁଆଁ ହୋଇ ସାରିଛି । ଏହି ଧାରା ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ । କାରଣ ଖାଉଟିଙ୍କ ଆବଶ୍ୟକ ଅନୁସାରେ ସେତିକି ଟମାଟୋ ଉତ୍ପାଦନ ହେଉନାହିଁ । କିଛି ସ୍ଥାନରେ ସ୍ଥିତି ଏମିତି ହେଲାଣି ଯେ, ଟମାଟୋ ବିକ୍ରି ପୂର୍ବରୁ ପୋଲିସକୁ ଡାକିବାକୁ ପଡୁଛି । ପୋଲିସ ଉପସ୍ଥିତିରେ ହିଁ ଟମାଟୋ ବିକ୍ରି ହେଉଛି ।