ସେଞ୍ଚୁରୀ ମାରିଲା ଟମାଟୋ, ୧୨୦ ଟଙ୍କା ପହଞ୍ଚିଲାଣି ଦର । ବାତ୍ୟା ଭୟରେ ଯୋଗାଣ ବନ୍ଦ ହୋଇଥିବାରୁ ଦର ଆକାଶ ଛୁଆଁ

324

କନକ ବ୍ୟୁରୋ : ମହଙ୍ଗା ମାଡ଼ରେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବେଳେ ରାଜଧାନୀରେ ୧୨୦ ଟଙ୍କା ଛୁଇଁଲା ଟମାଟୋ ଦର । କଟକରେ ବି ଟମାଟୋ କିଲୋ ୧୨୦ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ହେଲା ଆକାଶ ଛୁଆଁ ହୋଇଛି ଟମାଟୋ । ବାତ୍ୟା ଭୟରେ ଯୋଗାଣ ବନ୍ଦ ହୋଇଥିବାରୁ ଦର ଏବେ ଆକାଶଛୁଆଁ ରହିଛି । ନାସିକ୍ ଓ ରାୟପୁରରୁ ଟମାଟୋ ଯୋଗାଣ ବନ୍ଦ ହେବା ଯୋଗୁଁ ଦର ୧୨୦ ଟଙ୍କାରେ ପହଂଚିଛି ।

ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୨୦ ଟଙ୍କା ହୋଇଯାଇଛି ଟମାଟୋର ଦାମ । ମାତ୍ର ୨ ମାସ ତଳେ ଚାଷୀ ଅଭାବୀ ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ପୂରା ଓଲଟି ଯାଇଛି ସ୍ଥିତି । ରାଜ୍ୟରେ ଏବେ ଟମାଟୋ ଉତ୍ପାଦନ ହେଉନି । ବାହାର ରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି ବ୍ୟବସାୟୀ । ରାଜ୍ୟ ବାହାରୁ ଆସୁଥିବାରୁ ନିୟନ୍ତ୍ରଣ ବାହାରକୁ ଆସିଯାଇଛି ଦର । ଟମାଟୋ ଏବେ ନିତିଦିନିଆ ଆବଶ୍ୟକ ପରିବା ହୋଇଯାଇଛି । ତେଣୁ ଏପରି ଦରବୃଦ୍ଧି ଯୋଗୁଁ ଖାଉଟିଙ୍କୁ ବାଧୁଛି ।

ଉଚ୍ଚା ଦାମ ଯୋଗୁଁ ଅଳ୍ପ ପରିମାଣର ଟମାଟୋ କିଣି କାମ ଚଳାଇ ନେଉଛନ୍ତି ଗ୍ରାହକ । ଏପରିକି ବଜାରକୁ ମଧ୍ୟ ଅଧିକ ପରିମାଣର ଟମାଟୋ ଆସୁନାହିଁ । ଅଳ୍ପ କିଛି ପରିବା ଦୋକାନୀ ଟମାଟୋ ରଖୁଥିବା ଦେଖିବାକୁ ମିଳିଛି । କେବଳ ଟମାଟୋ ନୁହେଁ, ପରିବା ବଜାରରେ ନିଆଁ ଲାଗିଲାଗିଛି । ସବୁ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି ।