ଚିକେନ କିଲୋ ୨୮୦, ୧୨୦ରେ ପହଞ୍ଚିଲାଣି ଟମାଟୋ । ପକେଟକୁ ବାଧିଲାଣି ପରିବା ଦର ।

310

କନକ ବ୍ୟୁରୋ : ରୋଷେଇ ଘରେ ମହଙ୍ଗା ମାଡ଼ । ମହଙ୍ଗା ମାଡ଼ରେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବେଳେ ରାଜଧାନୀରେ ୧୨୦ ଟଙ୍କା ଛୁଇଁଲା ଟମାଟୋ ଦର । କଟକରେ ବି ଟମାଟୋ କିଲୋ ୧୨୦ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ହେଲା ଆକାଶ ଛୁଆଁ ହୋଇଛି ଟମାଟୋ । ବାତ୍ୟା ଭୟରେ ଯୋଗାଣ ବନ୍ଦ ହୋଇଥିବାରୁ ଦର ଏବେ ଆକାଶଛୁଆଁ ରହିଛି । ନାସିକ୍ ଓ ରାୟପୁରରୁ ଟମାଟୋ ଯୋଗାଣ ବନ୍ଦ ହେବା ଯୋଗୁଁ ଦର ୧୨୦ ଟଙ୍କାରେ ପହଞ୍ଚିଛି । ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୨୦ ଟଙ୍କା ହୋଇଯାଇଛି ଟମାଟୋର ଦାମ । ମାତ୍ର ୨ ମାସ ତଳେ ଚାଷୀ ଅଭାବୀ ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ପୂରା ଓଲଟି ଯାଇଛି ସ୍ଥିତି ।

ରାଜ୍ୟରେ ଏବେ ଟମାଟୋ ଉତ୍ପାଦନ ହେଉନି । ବାହାର ରାଜ୍ୟ ଉପରେ ସଂପୂର୍ଣ୍ଣ ନିର୍ଭର କରୁଛନ୍ତି ବ୍ୟବସାୟୀ । ରାଜ୍ୟ ବାହାରୁ ଆସୁଥିବାରୁ ନିୟନ୍ତ୍ରଣ ବାହାରକୁ ଆସିଯାଇଛି ଦର । ଟମାଟୋ ଏବେ ନିତିଦିନିଆ ଆବଶ୍ୟକ ପରିବା ହୋଇଯାଇଛି । ତେଣୁ ଏପରି ଦରବୃଦ୍ଧି ଯୋଗୁଁ ଖାଉଟିଙ୍କୁ ବାଧୁଛି । ଉଚ୍ଚା ଦାମ ଯୋଗୁଁ ଅଳ୍ପ ପରିମାଣର ଟମାଟୋ କିଣି କାମ ଚଳାଇ ନେଉଛନ୍ତି ଗ୍ରାହକ । ଏପରିକି ବଜାରକୁ ମଧ୍ୟ ଅଧିକ ପରିମାଣର ଟମାଟୋ ଆସୁନାହିଁ । ଅଳ୍ପ କିଛି ପରିବା ଦୋକାନୀ ଟମାଟୋ ରଖୁଥିବା ଦେଖିବାକୁ ମିଳିଛି ।

କେବଳ ଟମାଟୋ ନୁହେଁ, ପରିବା ବଜାରରେ ନିଆଁ ଲାଗିଲାଗିଛି । ସବୁ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି । ପରିବା ଦର ବଢ଼ିବା ସାଙ୍ଗକୁ ଆମିଷ ବଜାରରେ ନିଆଁ । କ୍ରମାଗତ ଭାବେ ବଢ଼ି ବଢ଼ି ଚାଲିଛି ଆମିଷ ଦର । କଟକ ଓ ଭୁବନେଶ୍ୱରରେ ୨ରୁ ୩ ମାସ ହେଲାଣି ହୁ ହୁ ହୋଇ ବଢ଼ୁଛି ଆମିଷ ଦର । ମାର୍କେଟରେ ଚିକେନ କିଲୋ ୨୬୦ରୁ ୨୮୦ଟଙ୍କା ରହିଛି । କୁକୁଡାଙ୍କ ଖାଦ୍ୟ ଦର ସହ ଚିଆଁ ଦର ବୃଦ୍ଧି ଯୋଗୁଁ ରେଟ ବଢ଼ୁଛି । ଫଳରେ ଅଧିକ ଦରରେ ଚିକେନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀ । ଯାହା ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ କରିଛି ।