କନକ ବ୍ୟୁରୋ: ଟମ୍ ଆଣ୍ଡ ଜେରି କାର୍ଟୁନ୍ ସିରିଜକୁ ଆପଣ କେବେ ନା କେବେ ନିଶ୍ଚୟ ଦେଖିଥିବେ । ମୂଷା, ବିଲେଇର ଏହି ଲଢେଇ ଆପଣଙ୍କୁ ନିଶ୍ଚୟ ହସେଇଥିବ । ସେଇଥିପାଇଁ ତ ଆଜି ବି ଅନେକ ଛୋଟ ପିଲା ଏହି କାର୍ଟୁନ ସିରିଜ୍ ଦେଖିଥାନ୍ତି । ଛୋଟ ଛୋଟ ପିଲାମାନଙ୍କ ପାଇଁ ଟମ୍ ଆଣ୍ଡ ଜେରି ସୋ ସବୁଠୁ ଲୋକପ୍ରିୟ । ତେବେ ଏହି ସିରିଜ କିଏ ତିଆରି କରିଥିଲା ? ଆଉ କେବେ କରିଥିଲା ତାହା ଆପଣ ଜାଣିଛନ୍ତି କି ?

Advertisment

ଦୀର୍ଘ ୮୦ ବର୍ଷ ତଳେ ଅର୍ଥାତ ୧୯୪୦ ମସିହାରେ ମୂଷା, ବିଲେଇର ଏହି ମଜାଦାର କାହାଣୀ ଆରମ୍ଭ ହୋଇଥିଲା । ଆଉ ତାକୁ ଆରମ୍ଭ କରିଥିଲେ ୱିଲିୟମ ହାନା ଏବଂ ଜୋସେଫ୍ ବାରବେରା ନାମକ ଦୁଇ ଜଣ ଆମେରିକୀୟ । ଏହି ଦୁଇ ଜଣ ସେତେବେଳେ ଆମେରିକାର ଏମଜିଏମ୍ କାର୍ଟୁନ ନାମକ ଏକ କମ୍ପାନିରେ କାମ କରୁଥାନ୍ତି । ହେଲେ ସେତେବେଳେ ତାଙ୍କ କମ୍ପାନି ତିଆରି କରୁଥିବା ସବୁ କାର୍ଟୁନ ସିରିଜ୍ ଫ୍ଲପ୍ ହେଉଥିଲା । ଏଥିପାଇଁ କମ୍ପାନିକୁ ବହୁତ କ୍ଷତି ମଧ୍ୟ ହେଉଥିଲା । ଏଭଳି ସମୟରେ ୱିଲିୟମ ହାନା ଓ ଜୋସେଫ୍ ବାରବେରା ୧୯୪୦ ମସିହାରେ ମୂଷା, ବିଲେଇର କାହାଣୀ ନେଇ ଏକ କାର୍ଟୁନ ସିରିଜ୍ ନିର୍ମାଣ କଲେ ।

ମୂଷା, ବିଲେଇର ଏହି ଲଢେଇକୁ ଦେଖି ଏହାକୁ ଅନେକ ଲୋକ ପସନ୍ଦ କଲେ । ହେଲେ ଏହି କାର୍ଟୁନ ଫିଲ୍ମଟି ଏତେ ମାତ୍ରାରେ ସଫଳତା ପାଇବ ବୋଲି କେହି ବି ବିଶ୍ୱାସ କରିନଥିଲେ । ହେଲେ ୧୯୪୧ ମସିହାରେ ଏହି କାର୍ଟୁନ ସୋ ଓସ୍କାର ପାଇଁ ନମିନେଟ୍ ହେବା ସହିତ ସମସ୍ତଙ୍କ ଆକଳନକୁ ଭୁଲ ପ୍ରମାଣିତ କରିଥିଲା । ଏହା ପରେ ପରେ ହାନା ଓ ବାରବେରା ମିଶି ଆହୁରି ଅନେକ ଟମ୍ ଆଣ୍ଡ ଜେରି ସୋ ନିର୍ମାଣ କରିବା ସହିତ ସଫଳତା ପାଇଥିଲେ ।

୧୯୫୭ରେ ଦୁହେଁ ମିଶି ନିଜର ପ୍ରଡକ୍ସନ ହାଉସ୍ ଖୋଲିବା ସହିତ ଏହି ସୋକୁ ଆଗକୁ ବଢାଇଥିଲେ ।
ଟମ୍ ଆଣ୍ଡ ଜେରି କାର୍ଟୁନ ସିରିଜ୍ ଭିତରେ , ଦ ଟମ୍ ଆଣ୍ଡ ଜେରି ସୋ, ଦ ଟମ୍ ଆଣ୍ଡ ଜେରି କମେଡି ସୋ, ଟମ୍ ଆଣ୍ଡ ଜେରି କିଡସ୍ , ଟମ୍ ଆଣ୍ଡ ଜେରି ଟେଲସ୍ ଏବଂ ଦ ଟମ୍ ଆଣ୍ଡ ଜେରି ସୋ ସବୁଠୁ ଅଧିକ ଲୋକପ୍ରିୟ ହୋଇଥିଲା । ଏହାକୁ ଦର୍ଶକମାନେ ବେଶ ପସନ୍ଦ କରିବା ସହିତ ମୂଷା ବିଲେଇର ମଜାଦାର ଲଢେଇକୁ ଉପଭୋଗ କରିଥିଲେ । ଆଜି ବି ଏହି ମୂଷା ବିଲେଇର ଏହି କାର୍ଟୁନ ଭିଡିଓ ସମସ୍ତଙ୍କ ମନକୁ ଛୁଇଁଥାଏ । ଛୋଟଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଦେଖିଥାନ୍ତି । ମୂଷା ବିଲେଇର ଲଢେଇ ସହ ଦୁହିଁଙ୍କ ଭିତରେ ଥିବା ବନ୍ଧୁତାକୁ ବି ଲୋକମାନେ ପସନ୍ଦ କରିଥାନ୍ତି ।