ହଟହଟା ହେଲେ ମନ୍ତ୍ରୀ ସୁଶାନ୍ତ ସିଂ । ଟୋଲ ଫି ପାଇଁ ଅଧରାତିରେ ମନ୍ତ୍ରୀଙ୍କୁ ଅଟକାଇଲେ କର୍ମଚାରୀ । ପ୍ରାୟ ୨ ଘଣ୍ଟା ଯାଏଁ ଚାଲିଲା ମନ୍ତ୍ରୀ କର୍ମଚାରୀଙ୍କ ଯୁକ୍ତିତର୍କ ?

1,622

କନକ ବ୍ୟୁରୋ: ରାତି ଅଧରେ ହଟହଟା ହେଲେ ମନ୍ତ୍ରୀ । ଟୋଲ ଫି ପାଇଁ ଅଧ ରାତିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଟୋଲଗେଟରେ ଅଟକାଇଲେ କର୍ମଚାରୀ । ସୁନ୍ଦରଗଡ ଟୋଲଗେଟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ପାଖାପାଖି ୨ ଘଣ୍ଟା କାଳ ହଟହଟା ହୋଇଛନ୍ତି । ଟୋଲ ଫି ନଦେବାରୁ ମନ୍ତ୍ରୀଙ୍କୁ ନଛାଡି ରାତି ସାଢେ ୨ଟାରୁ ଅଟକାଇ ରଖିଥିଲେ ଟୋଲ କର୍ମଚାରୀ ।

ତେବେ ସୁନ୍ଦରଗଡ ସରକାରୀ କଲେଜର ହୀରକ ଜୟନ୍ତୀରେ ଯୋଗଦେବାକୁ ମନ୍ତ୍ରୀ ବରଗଡରୁ ସୁନ୍ଦରଗଡ ଅଭିମୁଖେ ରାତିରେ ବାହାରିଥିଲେ । ତେବେ ରାତି ପ୍ରାୟ ୨ଟା ସମୟରେ ମନ୍ତ୍ରୀଙ୍କ ଗାଡିକୁ କର୍ମଚାରୀ ଅଟକାଇଥିଲେ ଆଉ ଫି ମାଗିଥିଲେ । ହେଲେ ମନ୍ତ୍ରୀଙ୍କ ପିଏସଓ ପାସ୍ ଥିବା ଜଣାଇ ଥିଲେ ବି ମନ୍ତ୍ରୀ ବସିଥିବା ଗାଡିର ନମ୍ବରରେ କୌଣସି ପାସ୍ ଦେଖାଉନଥିବା କହି ଫି ମାଗିଥିଲେ କର୍ମଚାରୀ । ଏହାପରେ ଖୋଦ ମନ୍ତ୍ରୀ ଗାଡିରୁ ଓହ୍ଲାଇ ଟୋଲ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ ।

ପ୍ରାୟ ୨ ଘଣ୍ଟା ଯାଏଁ ମନ୍ତ୍ରୀ ଓ ଟୋଲ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି । ତେବେ ଘଟଣା ବାବଦରେ ଭୋରରୁ ଭୋରରୁ ଭସ୍ମା ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା । ଏହା ପରେ ଏସପି ପୋଲିସ ଫୋର୍ସ ପଠାଇ ମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ ।

ତେବେ ସର୍କିଟ ହାଉସରେ ମନ୍ତ୍ରୀ ସୁଶାନ୍ତ ସିଂହ ଘଟଣାକୁ ନେଇ ହୋହଲ୍ଲା କରିଥିବା ବେଳେ ପୋଲିସ ଟୋଲଗେଟରୁ କର୍ମଚାରୀ ଓ ମନ୍ତ୍ରୀଙ୍କ ଯୁକ୍ତିତର୍କର ସିସିଟିଭି ଫୁଟେଜ ଥିବା ହାର୍ଡଡିକ୍ସ ଜବତ କରିଛି । ଏଥିସହ ୩ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି । ତେବେ ଏନଏଚଏଆଇର ନିୟମ ଅନୁସାରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଛଡା ଅନ୍ୟ କୌଣସି ଲୋକ ବିନା ଟୋଲ ଫିରେ ଆଗକୁ ଯାଇପାରିବେନି । ଆଉ ଅଧରାତିରେ ଶ୍ରମ ମନ୍ତ୍ରୀଙ୍କ ଅଜବ ଯୁକ୍ତି ପରେ ପ୍ରଶ୍ନ ଉଠୁଛି କି ମନ୍ତ୍ରୀ କଣ ଆଇନ ଉପରେ ?