ମାସେ କୋହଳ ହେଲା ଫାସଟ୍ୟାଗ ଲାଗୁ ସମୟ । ଜାନୁୟାରୀ ୧୫ ଯାଏଁ ବଢ଼ିଲା ସମୟସୀମା । କାର୍ଯ୍ୟକାରୀ ହେବ ଉଭୟ ଫାସଟ୍ୟାଗ ଓ ଅନ୍ୟ ପେମେଂଟ ବ୍ୟବସ୍ଥା

ଟୋଲ ପ୍ଲାଜାର ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନ ପରିଣତ କରିବାକୁ ନିଷ୍ପତି

354

କନକ ବ୍ୟୁରୋ: ଜାତୀୟ ରାଜପଥର ଟୋଲଗେଟ ଗୁଡ଼ିକରେ ଫାସଟାଗ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ସମୟସୀମାକୁ ପୁଣି ବଢ଼ାଇଛନ୍ତି କେନ୍ଦ୍ର ସରକାର । ଦେଶରେ ଫାସଟ୍ୟାଗ ଷ୍ଟିକର ଅଭାବ ଥିବା କାରଣରୁ ଏହି ନିଷ୍ପତି ନିଆଯାଇଥିବା କୁହାଯାଉଛି । ପୂର୍ବରୁ ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜା ଲେନକୁ ଡିସେମ୍ବର ୧ରୁ ଫାସଟ୍ୟାଗ ଲେନରେ ପରିଣତ କରିବା ଲାଗି ସରକାର ଘୋଷଣା କରିଥିଲେ । ପରେ ଏହାକୁ ଡିସେମ୍ବର ୧୫ ତାରିଖ ଯାଏଁ ଘୁଂଚାଯାଇଥିଲା ।

ଏହି ସମୟସୀମାକୁ ଆଉ ମାସେ ପାଇଁ କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ପରିଣତ କରିବା ପାଇଁ ନିଷ୍ପତି ନିଆଯାଇଛି । ଫଳରେ ଏହି ଲେନରେ ଉଭୟ ଫାସଟ୍ୟାଗ ସମେତ ଅନ୍ୟ ଅର୍ଥ ପୈଠ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ତେବେ ଫାସଟ୍ୟାଗ ଲେନ୍ ଯେଭଳି ୭୫%ରୁ କମ୍ ନହୁଏ ତାହାକୁ ନିଶ୍ଚିତ କରିବା ଲାଗି କୁହାଯାଇଛି । ଲୋକେ ଯେଭଳି ଅସୁବିଧାରେ ନପଡ଼ିବେ ତାହାକୁ ଦୃଷ୍ଟିରେ ରଖି ୩୦ ଦିନ ପାଇଁ ଏହି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି ।