ଗାଡି ଚାଳକ ସାବଧାନ ! ଟୋଲ ଗେଟରେ ମିଳୁଛି ନକଲି ରସିଦ, ପ୍ରତିବାଦ କଲେ ମିଳୁଛି ମାଡ଼

90

କନକ ବ୍ୟୁରୋ : ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ପାଇଁ ଯାନବାହାନ ଗୁଡ଼ିକରୁ ଟୋଲ ଫି ଆଦାୟ କରାଯାଏ । କେନ୍ଦ୍ର ସରକାରଙ୍କ ଜାତୀୟ ରଜପଥ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ବିଭିନ୍ନ ସଂସ୍ଥା ମାଧ୍ୟମରେ ଟୋଲ ଫି ଆଦାୟ କରାଯାଏ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟରେ ଥିବା ଗୋରାପଲ୍ଳୀ ଟୋଲ ପ୍ଲାଜାରେ ସଂପୃକ୍ତ ଠିକାଦାର ବେଆଇନ ଭାବେ ଧାର୍ୟ୍ୟ ଫି ଠାରୁ ଅଧିକ ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏହାସହ ଟୋଲ ଗେଟର ରସିଦ ନକଲି ଥିବା ଜଣାପଡ଼ିଛି ।

ଟୋଲ ଗେଟରେ ଗାଡି ଚାଳକଙ୍କ ମିଳୁଛି ନକଲି ରସିଦ । ଜାତୀୟ ରାଜପଥରେ ଟୋଲ ଫି ଆଦାୟ ବେଳେ ଗାଡି ଚାଳକଙ୍କୁ ଏ ରସିଦ ଦିଆଯାଉଛି । ସରକାରୀ ଧାର୍ୟ୍ୟ ମୂଲ୍ୟ ଅନୁସାରେ ଫି ନେଲେ ଅସଲି ରସିଦ ଦେଉଥିବା ବେଳେ ଅଧିକ ଫି ନେବା ବେଳେ ନକଲି ରସିଦ ଦେଉଛନ୍ତି ଟୋଲ ପ୍ଲାଜା କର୍ମଚାରୀ । ଗଞ୍ଜାମ ଜିଲ୍ଲା ଖଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ଗୋରାପଲ୍ଳି ଟୋଲ ପ୍ଲାଜାରେ ଏଭଳି ବେଆଇନ୍ ଟୋଲ ଫି ଆଦାୟ କରାଯାଉଛି । ଆଉ ଏହାର ପ୍ରତିବାଦ କଲେ ଟୋଲ ପ୍ଲାଜା ପରିଚାଳକଙ୍କ ଠାରୁ ଧକ୍କା ଖାଇବାକୁ ପଡୁଥିବା ଅଭିଯୋଗ କରିଛନ୍ତି ଗାଡି ଚାଳକ ।

ରିଧି ସିଧି ନାମକ ଘରୋଇ କମ୍ପାନୀ ଗୋରାପଲ୍ଳି ଟୋଲ ପ୍ଲାଜାରେ ଟୋଲ ଫି ଆଦାୟ କରୁଛି । ଟୋଲ ପ୍ଲାଜାରେ ଫି ବାବଦକୁ ଦିନକୁ ୧୮ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆଦାୟ କରାଯାଉଛି । ତେବେ ଟୋଲ ପ୍ଲାଜାରେ ବେଆଇନ ଫି ଆଦାୟକୁ ବିରୋଧ କରିଛନ୍ତି ଟ୍ରକ ମାଲିକ । ଆଗକୁ କୌଣସି ପଦକ୍ଷେପ ନିଆନଗଲେ ଜାତୀୟ ରାଜପଥ ଅବରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଟ୍ରକ ମାଲିକମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଟୋଲ ପ୍ଲାଜା ପରିଚାଳକ ଏ ଅଭିଯୋଗକୁ ଖଣ୍ଡନ କରିବା ସହ ଏଥିରେ ସୁଧାର ଆଣିବେ ବୋଲି ସଫେଇ ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯଦି ଟୋଲ ପ୍ଲାଜାରେ ବେଆଇନ ଭାବେ ଫି ଆଦାୟ କରାଯାଉନାହିଁ ତେବେ କେଉଁଥିରେ ସୁଧାର ଆଣିବେ ବୋଲି ସଫେଇ ଦେଇଛନ୍ତି ଟୋଲ ପ୍ଲାଜା ପରିଚାଳକ ।