କନକ ବ୍ୟୁରୋ : ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ । ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ମହିଳା ଟିମ୍ । କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୧-୦ରେ ଭାରତ ହରାଇଛି । ଖେଳ ଚାଲିବାର ୨୨ ମିନିଟର ଭାରତୀୟ ଦଳର ଗୁରଜିତ୍ କୌର୍ ଅଷ୍ଟ୍ରେଲିଆ ଦଳକୁ ପ୍ରଥମ ଗୋଲ୍ ଦେଇଥିଲେ । ଏହା ମଧ୍ୟ ଥିଲା ଅଲିମ୍ପିକ୍ କ୍ରୀଡ଼ାରେ ତାଙ୍କର ସର୍ବପ୍ରଥମ ଗୋଲ୍ । ପେନାଲ୍ଟିକ୍ କର୍ଣ୍ଣର୍ ଜରିଆରେ ଗୁରଜିତ୍ ଉକ୍ତ ଗୋଲ୍ ଦେବାରେ ସଫଳ ହୋଇଥିଲେ ।
ଖେଳ ଆରମ୍ଭର ପ୍ରଥମ ୧୫ ମିନିଟ୍ ପର୍ଯ୍ୟନ୍ତ ଭାରତୀୟ ଦଳ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବଜାୟ ରଖିବାରେ ସମର୍ଥ ହୋଇଥିଲା । ଖେଳ ଆରମ୍ଭର ମାତ୍ର ୪ ମିନିଟ୍ ପରେ ଅଧିନାୟିକା ରାଣୀ ରାମପାଲ୍ ବନ୍ଦନା କାଟାରିଆଙ୍କ ଠାରୁ କ୍ରସ୍ ପାଇ ଗୋଲ୍ ପୋଷ୍ଟ୍କୁ ସଟ୍ ମାରିଥିଲେ । ଖେଳର ଦ୍ବିତୀୟ ପର୍ଯ୍ୟାୟରେ ଗୁରଜିତ ପେନାଲ୍ଟିକ୍ କର୍ଣ୍ଣର୍ ମାରି ଗୋଲ୍ ଦେବାରେ ସଫଳ ହୋଇଥିଲେ । କିନ୍ତୁ, ଏହି ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଟିମ୍ ଆଧିପତ୍ୟ ଜାହିର କରିଥିଲେ ମଧ୍ୟ କୌଣସି ଗୋଲ୍ ଦେବାରେ ସଫଳ ହୋଇ ନ ଥିଲା ।ତୃତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ପେନାଲ୍ଟିକ୍ କର୍ଣ୍ଣର୍ ସୁଯୋଗ ମିଳିଥିଲେ ବି ସେମାନେ ଗୋଲ୍ ଦେବାରେ ବିଫଳ ହୋଇଥିଲେ। ଭାରତୀୟ ଖେଳାଳିମାନେ ଉଚିତ ଭାବେ ଜଗିବାରୁ ବଲ୍ ବାହାରକୁ ଚାଲିଯାଇଥିଲା ।
ସେହିଭଳି, ଚତୁର୍ଥ ପର୍ଯ୍ୟାୟରେ ଭାରତୀୟ ଖେଳାଳି ମୋନିକା ମଲିକଙ୍କ ବିରୋଧରେ ଫାଉଲ୍ ଅଭିଯୋଗ ଆସିଥିଲା। ତେଣୁ, ଖେଳ ଶେଷ ହେବାକୁ ଆଉ ୩ ମିନିଟ୍ବାକି ଥିବା ବେଳେ ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ଆଉ ଏକ ପେନାଲ୍ଟିକ୍ କର୍ଣ୍ଣର୍ ସୁଯୋଗ ମିଳିଥିଲା। ଅଷ୍ଟ୍ରେଲିଆର ମେଡିସନ୍ ଫିଜ୍ପେଟ୍ରିକ୍ ଗୋଲ୍ ଦେବାକୁ ଉଦ୍ୟମ କରିଥିଲେ କିନ୍ତୁ, ଭାରତୀୟ କ୍ରୀଡ଼ିକା ସବିତା ପୁନିଆ ତାଙ୍କ ସଟ୍କୁ ପ୍ରତିରୋଧ କରିବାରେ ସମର୍ଥ ହୋଇଥିଲେ । ଫଳରେ ଗୋଲ୍ ହୋଇ ପାରି ନ ଥିଲା । ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।