କନକ ବ୍ୟୁରୋ : ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଭାବିନା ପଟେଲ । ନିଜର ପ୍ରଥମ ପାରା ଅଲିମ୍ପିକ୍ସରେ ଭାବିନା ଜିତିଛନ୍ତି ରୌପ୍ୟ ପଦକ । ଭାରତ ପକ୍ଷରୁ ପାରା ଅଲିମ୍ପିକ୍ସ ଟେବୁଲ ଟେନିସରେ ପଦକ ଜିତିବାରେ ଭାବିନା ହେଉଛନ୍ତି ପ୍ରଥମ ଭାରତୀୟ । ଭାବିନାଙ୍କ ପାଖରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ଥିଲା । ହେଲେ ଗୋଲଡ୍ ମେଡାଲ ମ୍ୟାଚରେ ଚୀନ ପ୍ରତିଯୋଗୀଙ୍କ ଠାରୁ ପରାସ୍ତ ହେଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାବିନା । ଫାଇନାଲ ମ୍ୟାଚରେ ଭାବିନା, ଚୀନର ଜୋହୁ ୟିଙ୍ଗଙ୍କ ମଧ୍ୟରେ ଖେଳ ହୋଇଥିଲା ।

Advertisment

ଜାପାନର ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସର ଟେବୁଲ ଟେନିସ ପ୍ରତିଯୋଗୀତାରେ ବିଶ୍ୱର ୩ ନମ୍ବର ଖେଳାଳି ମିଓଙ୍କୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ଭାବିନା । ପ୍ରଥମ ଭାରତୀୟ ଭାବେ ଭାବିନା ପାରା ଅଲିମ୍ପିକ୍ସର ଟେବୁଲ ଟେନିସରେ ଫାଇନାଲରେ ପ୍ରବେଶ କରିଥିଲେ । ରୌପ୍ୟ ପଦକ ଜିତିବା ପରେ ଭାବିନା କହିଛନ୍ତି ଫାଇନାଲ ମୁକାବିଲାରେ ସେ ସାମାନ୍ୟ ନରଭସ ଥିଲେ । ଖେଳର ରଣନୀତି ସେ ଠିକ୍ ଭାବେ ପ୍ରୟୋଗ କରିପାରିନଥିଲେ ।

publive-image

ଆଗାମୀ ଦିନରେ ସେ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ସେ ତାଙ୍କର ସିଲଭର ମେଡାଲ ଦେଶବାସୀଙ୍କୁ ସମର୍ପଣ କରିଛନ୍ତି । ଏହା ସହ ସହଯୋଗ ପାଇଁ କୋଚ, ପରିବାର ସଦସ୍ୟ, ସାଙ୍ଗ ସାଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଐତିହାସିକ ରୌପ୍ୟ ପଦକ ଜିତିବା ପରେ ଭାବିନାଙ୍କ ପରିବାରରେ ଖୁସିର ମାହୋଲ । ପରିବାର ଲୋକ ଓ ସାଙ୍ଗ ସାଥୀ ଏକାଠି ହୋଇ ଗରବା ଡ୍ୟାନ୍ସ କରିଥିଲେ । ଭାବିନାଙ୍କ ବାପା ମାଆ ମଧ୍ୟ ଗରବା ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହା ସହ ବାଣ ଫୁଟାଇ, ମିଠା ଖୁଆଇ ସେଲିବ୍ରେସନ୍ କରିଛନ୍ତି ।

ଭାବିନାଙ୍କ ପାଇଁ ଟୋକିଓ ପାରା ଅଲିମ୍ପିକ୍ସରେ ମେଡାଲ ଜିତିବା ଏତେ ସହଜ ନଥିଲା । ଇତିହାସ ରଚିବା ପାଇଁ ଅନେକ କଷ୍ଟର ସାମ୍ନା କରିବାକୁ ପଡିଛି ଭାବିନାଙ୍କୁ ।
- ୬ ନଭେମ୍ବର ୧୯୮୬ରେ ଗୁଜରାଟ ମେହସାଣା ଜିଲ୍ଲାର ଗଡ଼ଗରର ଏକ ଛୋଟ ଗାଁରେ ଜନ୍ମ
- ବର୍ଷକର ହୋଇଥିବା ବେଳେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ
- ଚିକିତ୍ସା ପାଇଁ ବାପା-ମାଆ ବିଶାଖାପାଟଣା ନେଇଥିଲେ
- ବିଶାଖାପାଟଣାରେ ହୋଇଥିବା ଅପରେସନ୍ ସଫଳ ହୋଇନଥିଲା
- ହ୍ୱିଲ୍ ଚେୟାରରେ ବସି ଟେବୁଲ ଟେନିସ୍ ଖେଳିବା ଆରମ୍ଭ କରିଥିଲେ
- ଟେବୁଲ ଟେନିସ୍ରେ କ୍ୟାରିୟର କରିବାକୁ ସ୍ଥିର କରିଥିଲେ
- ୨୦୧୧ରେ ପିଟିଟି ଥାଇଲାଣ୍ଡ ଟେବୁଲ ଟେନିସ୍ ଚାମ୍ପିଅନ୍ସିପ୍ ଜିତି ଇତିହାସ ରଚିଥିଲେ
- ୨୦୧୩ ବେଜିଂ ଏସିଆନ୍ ପାରା ଅଲିମ୍ପିକ୍ସରେ ପଦକ ଜିତିଥିଲେ
- ୨୦୧୭ରେ ପୁଣି ଥରେ ଏସିଆନ୍ ପାରା ଅଲିମ୍ପିକ୍ସରେ ଜିତିଥିଲେ ବ୍ରୋଂଜ ପଦକ