ରେସଲିଂରୁ ଜାଭେଲିନର୍ ଯାତ୍ରା : ଦୁର୍ଘଟଣାରେ ହରାଇଥିଲେ ଗୋଡ ,ଏବେ ୩ଥର କୀର୍ତ୍ତି ସ୍ଥାପନ କରି ଭାରତକୁ ଦେଲେ ସୁନା ପଦକ

53

କନକ ବ୍ୟୁରୋ: ଧନ୍ୟ ସେ ହରିଆଣା ମାଟି ଯିଏ ଏପରି ସନ୍ତାନଙ୍କୁ ସୃଷ୍ଟି କରିଛି ଯିଏ ବିଶ୍ୱରେ ଭାରତର ଟେକ ରଖିଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପାରା ଅଲିମ୍ପିଆଡ ସୁମିତ୍ ଆନ୍ତିଲ । ରେସଲିଂରେ ନାଁ କରିବାକୁ ସ୍ୱପ୍ନ ରଖିଥିବା ସୁମିତ ଜାଭେଲିନରେ ଭାରତକୁ ଭେଟି ଦେଇଛନ୍ତି ସ୍ୱର୍ଣ୍ଣ ପଦକ । ଏହାସହ ଅବିଶ୍ୱସନୀୟ ଭାବେ ୩ଥର ନିଜେ ନିଜର ବିଶ୍ୱ କୀର୍ତ୍ତିମାନ ଭାଙ୍ଗି ରେକର୍ଡ କରିଛନ୍ତି ହରିଆଣାର ଏହି ରିଅଲ ହିରୋ ।

ଭାରତୀୟ ପାରା ଅଲିମ୍ପିଆନ୍ ସୁମିତ୍ ଆନ୍ତିଲ ଚଳିତ ଟୋକିଓ କ୍ରୀଡାରେ ପୁରୁଷ ଜାଭେଲିନ୍ ଥ୍ରୋର ଏଫ୍ -୬୪ କାଟାଗରୀରେ ସ୍ୱର୍ଣ୍ଣ ପଦକ ଜିତି କୀର୍ତ୍ତି ସ୍ଥାପନ କରିଛନ୍ତି । ସୁମିତ୍ ୬୮.୫୫ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଦେଶ ପାଇଁ ଦ୍ୱିତୀୟ ସ୍ୱର୍ଣିମ ସଫଳତା ଆଣିଛନ୍ତି । ପୂର୍ବରୁ ମଧ୍ୟ ଏହି ସୁମିତଙ୍କ ନାଁରେ ଏହି କାଟାଗୋରୀରେ ବିଶ୍ୱ ରେକର୍ଡ ରହିଛି । ପ୍ରଥମ ରାଉଣ୍ଡରେ ୬୬.୯୬ ମିଟର, ଦ୍ୱିତୀୟରେ ୬୮.୦୮ ମିଟର, ତୃତୀୟ ରାଉଣ୍ଡରେ ୬୫.୨୭ ମିଟର ଚତୁର୍ଥରେ ୬୬.୭୧ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ପଂଚମ ତଥା ଶେଷ ଥ୍ରୋରେ ୬୮.୫୫ ଦୂରତା ଛୁଇଁବା ବେଳକୁ ୩ଥର ବିଶ୍ୱ କିର୍ତ୍ତୀମାନ ସ୍ଥାପନ କରିସାରିଥିଲେ ।

ହରିଆଣା ସୋନପତ୍ ଜିଲ୍ଲାର ବାସିନ୍ଦା ସୁମିତଙ୍କ ଜନ୍ମ ୬ ଜୁଲାଇ ୧୯୯୮ରେ ହୋଇଥିଲା । ତାଙ୍କ ବାପା ଜଣେ ଭାରତୀୟ ସେନାର ଅଧିକାରୀ ଥିଲେ । କିନ୍ତୁ କ୍ୟାନସରରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ପ୍ରଥମେ ସୁମିତ୍ ରେସିଲିଂରେ କରିଅର୍ ଆରମ୍ଭ କରିବାକୁ ଚାହୁଁଥିଲେ । ସେଥିପାଇଁ କଠୋର ପରିଶ୍ରମ ମଧ୍ୟ କୁରୁଥିଲେ । ହେଲେ ହଠାତ ଦିନେ ସବୁ ଓଲଟପାଲଟ ହୋଇଗଲା । ୨୦୧୫ ମସିହାରେ ଦିନେ ସେ ବାଇକରେ ଯାଉଥିବା ସମୟରେ ଟ୍ରାକ୍ୟର ସହ ଧକ୍କା ହୋଇଥିଲେ । ଆଉ ଏଥିରେ ତାଙ୍କର ବାମ ଗୋଡର ଆଣ୍ଠୁୁ ତଳ ଭାଗ ନଷ୍ଟ ହୋଇଯାଇଥିଲା । ଏଥିରେ ସେ ଭାଙ୍ଗି ପଡିଥିଲେ ।

ବୋଧହୁଏ ବିଧିର ବିଧାନ ସୁମିତଙ୍କ ପାଇଁ ଆଉ କିଛି ନିର୍ଦ୍ଧାରଣ କରିଥିଲା । ଗୋଡ ଭଲ ହେବା ଯାଏର୍ ଡାକ୍ତରଖାନାରେ କିଛି ଦିନର ରହଣି ତାଙ୍କୁ ଦେଖାଇଥିଲା ଆଉ ଏକ ଦିଗନ୍ତ । ଏହି ସମୟରେ ସାଙ୍ଗମାନଙ୍କ କହିବାରେ ଦକ୍ଷିଣ ଆଫ୍ରିକାର ଚର୍ଚ୍ଚିତ ପାରା ଅଲିମ୍ପିଆନ୍ ତଥା ବ୍ଲେଡ ରନର୍ ଓସ୍କାର ପିଷ୍ଟୋରିଅସଙ୍କ ବିଷୟରେ ପଢିଥିଲେ । ଯାହା ତାଙ୍କ ମନରେ ଆଶାର କିରଣ ଆଣିଥିଲା । ଆଉ ନିଜକୁ ଜଣେ ପାରା ଆଥଲେଟ୍ ଭାବେ ପ୍ରତିଷ୍ଠା କରିବାକୁ ନେଲେ ପ୍ରତିଜ୍ଞା । ପରେ ତାଙ୍କ ଆଣଣ୍ଠୁରେ ଲାଗିଲା କୃତ୍ରିମ ଗୋଡ, ଯାହା ସୁମିତଙ୍କ ଜୀବନକୁ ଏକ ନୂଆ ରୂପ ଦେଲା । ଦିଲଲୀ ଯାଇ ନୀତିନ ଜୈଶୱାଲଙ୍କ ତତ୍ତ୍ୱାବଧାନରେ ଜାଭେଲିନ୍ ଥ୍ରୋରେ ପାଦ ଥାପିଲେ । ପ୍ରଥମେ ଗୋ ସ୍ପେର୍ଟ୍ସ ଜରିଆରେ ପାରା ଚାମ୍ପିଅନ୍ ପ୍ରୋଗ୍ରାମରେ ପାଦ ଥାପିଲେ । ସେବେଠୁ ଆଉ ପଛକୁ ଚାହିଁନାହାଁନ୍ତି ସୁମିତ୍ । ସେହି ବର୍ଷ ଇଟାଲିରେ ଅନୁଷ୍ଠିତ ବିଶ୍ୱ ଆଥ୍ଲେଟିକ୍ ଗ୍ରାଁ ପ୍ରିରେ ଜାଭେଲିନ୍ ଥ୍ରୋର ଏଫ୍ -୬୪ କାଟାଗରୀ ସହ ଆରମ୍ଭ ହୋଇଥିଲା ତାଙକର ଅନ୍ତର୍ଜାତୀୟ ଯାତ୍ରା । ତାଙ୍କର ଏହି ଯାତ୍ରା ଆଜି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛି ।