କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ଖେଳାଳୀ ନୀରଜ ଚୋପ୍ରା, ପି.ଭି ସିନ୍ଧୁ, ଲବଲୀନା, ରବି ଦହିଆ ଓ ଭାରତୀୟ ହକି ଟିମର ସଦସ୍ୟ ଖୁବଶୀଘ୍ର ଆପଣଙ୍କ ସ୍କୁଲ ପରିଭ୍ରମଣରେ ଆସି ପାରିନ୍ତି ।  ଅଗଷ୍ଟ ୧୬ ତାରିଖରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବିଜେତା ମାନଙ୍କୁ ଭେଟିଥିଲେ ସେତେବେଳେ ସେମାନଙ୍କୁ ଦେଶର ପ୍ରତି ସ୍କୁଲ ବୁଲି ପିଲାମାନଙ୍କୁ ପ୍ରେରଣା ଦେବାକୁ ପରାମର୍ଶ ଦେଇଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ୭୫ ଜଣ ଖେଳାଳୀଙ୍କୁ ଦେଶର ୭୫ ଟି ବିଦ୍ୟାଳୟ ଭ୍ରମଣ କରିବାକୁ ପରାମର୍ଶ ଦେଇଥିଲେ । ଏନେଇ ଏବେ ଭାରତୀୟ ଖେଳ ପ୍ରାଧିକରଣ ଓ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ‘ଚମ୍ପିଅନ ସେ ମିଲୋ’ ନାମକ ଏକ କାର୍ଯ୍ୟକ୍ରମ ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି । ୨ ବର୍ଷ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଖେଳାଳୀ ମାନଙ୍କ ସହ କଥାବାର୍ତ୍ତା ଜାରି ରହିଛି । ଅଲମ୍ପିକ୍ସ ଖେଳାଳୀ ମାନଙ୍କ ସ୍କୁଲ ପରିଭ୍ରମଣ ଆସନ୍ତାବର୍ଷ ଜାନୁଆରୀ ମାସରୁ ଆରମ୍ଭ ହେବାକୁ ଯାଉଛି ।

Advertisment

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏହି ଟିମ ସାରା ଦେଶର ୭୫ ଟି ସ୍କୁଲ ଭ୍ରମଣ କରିବେ । ଏହି କ୍ରମରେ ଖେଳାଳୀମାନେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଗୋଟିଏ ଘଂଟା ବିତାଇବେ । ଏଥିରେ ଖେଳାଳୀମାନେ ପିଲାମାନଙ୍କୁ ସନ୍ତୁଳିତ ଭୋଜନ, ଫିଟନେଓ ଓ ଖେଳର ମହତ୍ୱ ବାବଦରେ ବୁଝାଇବେ ।

ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଡିସେମ୍ବର ମାସରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ କ୍ରିଡା ଓ ଯୁବ ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟ ସହ ୧ ହଜାର ଛାତ୍ର ଛାତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।