ଟୋକିଓରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ : ପ୍ରଥମ ଥର ପାଇଁ ସେମିଫାଇନାଲରେ କଲା ପ୍ରବେଶ; ଟୁଇଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

165

କନକ ବ୍ୟୁରୋ : ଇତିହାସ ରଚିଲା ମହିଳା ହକି ଦଳ । ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ ଟିମ୍ । ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ସେମିଫାଇନାଲକୁ ଯାଇଛି । ଭାରତ ପକ୍ଷରୁ ଗୋଟିଏ ମାତ୍ର ଗୋଲ ଦେଇଥିଲେ ଗୁରଜୀତ କୌର । ୨୨ ମିନିଟରେ ପେନାଲ୍ଟି କର୍ଣ୍ଣରରେ ଗୋଲ ଦେଇଥିଲେ । ଏବେ ସେମିଫାଇନାଲରେ ଭାରତର ମୁକାବିଲା ଅଗଷ୍ଟ ୪ରେ ଆର୍ଜେଂଟିନା ସହ ହେବ । ଶେଷ ଦୁଇଟି ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିଲା ଭାରତ ।

ପୂର୍ବରୁ ୧୯୮୦ ଓ ୨୦୧୬ରେ ଅଲିମ୍ପିକ୍ସକୁ ଯାଇଥିଲା ଭାରତ ମହିଳା ଟିମ୍ । ହେଲେ କେବେ ବି ସେମିଫାଇନାଲକୁ ଯାଇନଥିଲା । ୧୯୮୦ ମସ୍କୋ ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ଭାରତୀୟ ମହିଳା ଦଳ ଚତୁର୍ଥ ସ୍ଥାନରେ ଥିଲା । ଯାହାକି ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ସେତେବେଳେ କ୍ୱାର୍ଟର ଫାଇନାଲ ବ୍ୟବସ୍ଥା ନଥିଲା । ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ଟିମରେ ଏହା ଜବରଦସ୍ତ ବିଜୟ ବୋଲି କହିଛନ୍ତି । ଆଗକୁ ଟିମ୍ ଭଲ ପ୍ରଦର୍ଶନ କରି ବିଜୟ ଧାରା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।