ମେଡ଼ାଲ୍ ଅପେକ୍ଷାରେ ଭାରତ, ଷ୍ଟାର ବକ୍ସର ମ୍ୟାରି କମ୍ ୪-୧ରେ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ପ୍ରବେଶ, ଟେବୁଲ ଟେନିସରେ ଦ୍ୱିତୀୟ ରାଉଣ୍ଡରେ ଜିତିଲେ ମନିକା ବାତ୍ରା

127

କନକ ବ୍ୟୁରୋ : ଭାରଉତୋଳନରେ ମିରାବାଇ ଚାନୁ ରୌପ୍ୟ ପଦକ ହାସଲ କରି ଟୋକିଓ ଅଲିମ୍ପିକ୍ସରେ ଭାରତର ଆଶା ବଢ଼ାଇଥିବା ତୃତୀୟ ଦିନରେ ଚମକିଛନ୍ତି ବକ୍ସର ମ୍ୟାରି କମ୍, ବାଡମିଂଟନ ତାରକା ପିଭି ସିନ୍ଧୁ ଓ ମହିଳା ଟେବୁଲ ଟେନିସ୍ର ମନିକା ବାତ୍ରା । ସେହିପରି ରୋଇଂ ବା ନୌଚାଳନାରେ ସେମିଫାଇନାଲକୁ ପ୍ରବେଶ କରିଛନ୍ତି ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂ ।

୫୧ କେଜି ବର୍ଗରେ ମୁଷ୍ଟିଯୋଦ୍ଧା ମ୍ୟାରି କମ୍ ଜୟରୁ ଆରମ୍ଭ କରିଛନ୍ତି ତାଙ୍କର ଅଲିମ୍ପିକ୍ସ ଅଭିଯାନ । ଡୋମିନିକା ଗଣରାଜ୍ୟର ମିଗୁଏଲିନା ଗାର୍ସିଆଙ୍କୁ ୪-୧ରେ ହରାଇ ଦେଇଛନ୍ତି । ପ୍ରଥମରୁ ପ୍ରତିରକ୍ଷାତ୍ମକ ଥିବା ବେଳେ ୬ ଥର ବିଶ୍ୱ ଚାମ୍ପିଅନ୍ ରହିଥିବର ମ୍ୟାରି କମ୍ ଶେଷ ଆଡକୁ ଆକ୍ରାମକ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷକୁ ଧରାଶାୟୀ କରିଥିଲେ ।

ସେହିପରି ଭାରତୀୟ ବ୍ୟାଡମିଂଟନ ତାରକା ତଥା ବିଶ୍ୱ ଚାମ୍ପିଅନ୍ ପିଭି ସିନ୍ଧୁ ପ୍ରଥମ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ମାତ୍ର ୩୦ ମିନିଟ ଭିତରେ ଇସ୍ରାଏଲର ସେନିଆ ପଲିକାର୍ପୋଭାଙ୍କୁ ସହଜରେ ପରାଜିତ କରି ବିଜୟ ହାସଲ କରିଛନ୍ତି ପିଭି ସିନ୍ଧୁ । ସେପଟେ ନୌଚାଳନାରେ ପଦକ ଆଡକୁ ଏକ ପାଦ ଆଗେଇଛନ୍ତି ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂ । ଏପଟେ ଟେବୁଲ ଟେନିସ୍ରେ ଚମକିଛନ୍ତି ମନିକା ବାତ୍ରା । ୟୁକ୍ରେନର ମାର୍ଗାରିଟା ପେସୋସ୍କାଙ୍କୁ ୪-୩ରେ ହରାଇ ଦେଇଛନ୍ତି ମନିକା ।

ହେଲେ ଭାରତୀୟ ହକି ପାଇଁ ଭଲ ଖବର ଆସିନି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଥିବା ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ହାରିଯାଇଛି । ୭-୧ ଗୋଲରେ ଏକପାଖିଆ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ।

ସେହିପରି ମହିଳା ଟେନିସ୍ ଡବଲ୍ସରେ ହାରି ଯାଇଛନ୍ତି ସାନିଆ ମିର୍ଜା ଓ ଅଙ୍କିତା ରାଇନା । ୟୁକ୍ରେନ ପ୍ରତିପକ୍ଷ ଠାରୁ ହାରିବା ପରେ ସାନିଆ-ଅଙ୍କିତାଙ୍କ ଯୋଡି ପ୍ରତିଯୋଗିତାରୁ ବାଦ ପଡ଼ିଛନ୍ତି ।

ଏହାସହ ସୁଟିଂରେ ମଧ୍ୟ ଫାଇନାଲ ରାଉଣ୍ଡକୁ ଯାଇ ପାରିନାହାନ୍ତି ମନୁ ଭାକର, ଯଶସ୍ୱିନୀ ସିଂହ ଦେଶୱାଲ, ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପନୱାର । ୧୦ ନମ୍ବର ସ୍ଥାନରେ ରହି ଷ୍ଟାର ସୁଟର ଅଙ୍ଗଦବୀର ସିଂହ ବାଜୱା ମଧ୍ୟ ନିରାଶ କରିଛନ୍ତି । ସେହିପରି ଜିମନାଷ୍ଟିକ୍ରେ ପ୍ରଣତି ନାୟକ ପଦକ ଦୌଡ଼ରୁ ବାଦ ପଡିଛନ୍ତି । ସନ୍ତରଣରେ ମାନା ପଟେଲ ଓ ଶ୍ରୀହରି ନଟରାଜ ପରବର୍ତି ରାଉଣ୍ଡକୁ ଯାଇପାରିନାହାନ୍ତି ।