ଆଉ କିଛି ସମୟ ପରେ ଟୋକିଓ ଟ୍ରାକରେ ଦୌଡିବେ ଦୂତୀ : ଲଗାତାର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସର ୧୦୦ ମିଟର ଦୌଡରେ ଭାଗ ନେଉଛନ୍ତି ଓଡ଼ିଆ ଧାବିକା

224

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଟୋକିଓ ଟ୍ରାକରେ ଦୌଡିବେ ଦୂତୀ । ଲଗାତାର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସର ୧୦୦ ମିଟର ଦୌଡରେ ଭାଗ ନେଉଛନ୍ତି ଦୂତୀ ଚାନ୍ଦ । ୨୦୧୬ ରିଓ ଅଲମ୍ପିକ୍ସରେ ୧୧ ଦଶମିକ ୬୯ ସେକେଣ୍ଡ ସମୟରେ ଯୋଗ୍ୟତା ପର୍ଯ୍ୟାୟରୁ ଆଗକୁ ବଢି ପାରିନଥିଲେ ଏହି ଓଡିଆ ଝିଅ ।  ହେଲେ ୩୬ ବର୍ଷ ପରେ ଅଲିମ୍ପିକ୍ସର ୧୦୦ ମିଟର ଇଭେଂଟରେ ଭାରତୀୟ ଭାବେ ଭାଗ ନେଇ ରାଜ୍ୟକୁ ଗୌରବାନ୍ୱିତ କରିଥିଲେ । ଏବେ କିନ୍ତୁ ଜାପାନରେ ପଦକ ଜିତିବା ପାଇଁ ଦୌଡିବେ ଦୂତୀ । ଭାରତୀୟ ସମୟ ସକାଳ ୮ଟା ୧୦ ମିନିଟରେ ଟ୍ରାକକୁ ଦୂତୀ ଓହ୍ଲାଇବେ । ନିଜ ପ୍ରିୟ ଇଭେଂଟ ପୂର୍ବରୁ ଜିମ ଓ ଟ୍ରାକରେ ବେଶ ଝାଳ ବୁହାଉଛନ୍ତି ଦୂତୀ ଚାନ୍ଦ ।

ଦେଶର ପ୍ରଥମ ମହିଳା ଭାବେ ଲଗାତାର ଦୁଇଟି ଅଲିମ୍ପିକ୍ସର ଚର୍ଚ୍ଚିତ ୧୦୦ ମିଟର ଦୌଡ଼ରେ ପ୍ରତିଦ୍ବନ୍ଦ୍ବିତା କରିବେ ଦୂତୀ। ସେଥିପାଇଁ ୧୪୦ କୋଟି ଭାରତୀୟଙ୍କ ନଜର ତାଙ୍କ ଉପରେ ରହିବ । ଭାରତର ଦ୍ରୁତତମ ଧାବିକା ମାନ୍ୟତା ଲାଭ କରିସାରିଥିବା ଏହି ଓଡ଼ିଆ ଝିଅ ଟୋକିଓରେ କମାଲ କରିବେ ବୋଲି ସବୁ ଭାରତୀୟଙ୍କ ଆଶା। ଏଥିଲାଗି ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି । ଦୂତୀ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ହେବାକୁ ଥିବା ସେମିଫାଇନାଲ୍ ଲାଗି ଯୋଗ୍ୟତା ହାସଲ କରିବେ ବୋଲି ତାଙ୍କର କୋଟି କୋଟି ପ୍ରଶଂସକ ଶୁଭ ମନାସିଛନ୍ତି ।

ଦୂତୀ ତାଙ୍କ ଘଟଣା ବହୁଳ କ୍ରୀଡ଼ା କ୍ୟାରିୟରରେ ଉଭୟ ପଡ଼ିଆ ଓ ପଡ଼ିଆ ବାହାରେ ଅନେକ ଲଢ଼େଇ ଲଢ଼ି ସଫଳତାର ଶିଖର ଛୁଇଁଛନ୍ତି । ସେଥିପାଇଁ ଅଲିମ୍ପିକ୍ସ ଭଳି ମହାକୁମ୍ଭରେ ମଧ୍ୟ ନିଜ ସ୍ବତନ୍ତ୍ର ଛାପ ଛାଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ନିକଟରେ ପତିଆଲାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୪ରେ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିବା ଦୂତୀ ପୂର୍ବର ସବୁ ପ୍ରଦର୍ଶନକୁ ଟପିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିଲାଗି କଠିନ ପରିଶ୍ରମ ବି କରିଛନ୍ତି । ଚାରିବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହାରେ ରିଓରେ ଅଲିମ୍ପିକ୍ସ ପଦାର୍ପଣ କରିଥିଲେ ସେ । ସେଥର ପ୍ରଥମ ରାଉଣ୍ଡ ଆଗକୁ ବଢ଼ିପାରିନଥିଲେ । ଟୋକିଓରେ କିନ୍ତୁ ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ଦୂତୀ କହିଛନ୍ତି ।

ମହତ୍ବପୂର୍ଣ୍ଣ କଥା ହେଲା ସେ ଏଥର ୧୦୦ ସହ ୨୦୦ ମିଟରରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ । ୨୦୦ ମିଟରର ପ୍ରଥମ ରାଉଣ୍ଡ ଅଗଷ୍ଟ ୨ ତାରିଖରେ ଖେଳିବେ। କୌଣସି ଗୋଟିଏ ଅଲିମ୍ପିକ୍ସର ଉଭୟ ୧୦୦ ଓ ୨୦୦ ମିଟରରେ ଅଂଶଗ୍ରହଣ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିବେ ଦୂତୀ ।