ଟୋକିଓରେ ଆରମ୍ଭ ହେଲା ବିଶ୍ୱ କ୍ରୀଡା ମହାସମର : ଦେଖିବାକୁ ମିଳିଲା ତୀରନ୍ଦାଜ ଦୀପିକା କୁମାରୀଙ୍କ ପ୍ରଦର୍ଶନ; ରାଙ୍କିଙ୍ଗ ରାଉଣ୍ଡର ୯ମ ସ୍ଥାନରେ ଦୀପିକା

89

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛିି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଭାରତ ପକ୍ଷରୁ ପ୍ରଥମ ମୁକାବିଲାରେ ତୀରନ୍ଦାଜ ଆରମ୍ଭ ହୋଇଛି । ତୀରନ୍ଦାଜରେ ଦୀପିକା କୁମାରୀଙ୍କ ର୍ୟାଙ୍କିଙ୍ଗ ରାଉଣ୍ଡ ଶେଷ ହୋଇଛି । ୧୨ ରାଉଣ୍ଡ ପରେ ଦୀପିକା କୁମାରୀ ୬୬୩ ପଏଂଟ ସହ ନବମ ସ୍ଥାନରେ ରହିଛନ୍ତି । ପ୍ରଥମ ଏଲିମିନେସନ୍ ରାଉଣ୍ଡରେ ଦୀପିକା କୁମାରୀଙ୍କ ମୁକାବିଲା ଭୁଟାନର ଭୁ କର୍ମାଙ୍କ ସହ ହେବ । ଭୁ-କର୍ମା ର୍ୟାଙ୍କିଙ୍ଗ ରାଉଣ୍ଡରେ ୫୬ ତମ ସ୍ଥାନରେ ରହିଛନ୍ତି । ଜୁଲାଇ ୨୮ ତାରିଖରେ ପ୍ରଥମ ଏଲିମିନେସନ୍ ରାଉଣ୍ଡ ଖେଳାଯିବ ।

ରାଙ୍କିଙ୍ଗ ରାଉଣ୍ଡରେ ଦୀପିକା କୁମାରୀ ୩୦ଥର ପରଫେକ୍ଟ ୧୦ ସ୍କୋର କରିଛନ୍ତି । ଟପ୍ ତିନି ପୋଜିସନରେ କୋରିଆର ତୀରନ୍ଦାଜ ରହିଛନ୍ତି । କୋରିଆର ଅନ୍ ସାନ ୬୮୦ ସ୍କୋର ସହ ଶୀର୍ଷରେ ରହିଛନ୍ତି । ଆଜି ସ୍ଥାନୀୟ ସମୟ ରାତି ୮ଟା ତଥା ଭାରତୀୟ ସମୟ ସାଢ଼େ ୪ଟାରେ ଅଲିମ୍ପିକ୍ସର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ମୋଟ ୨୦୬ଟି ଦେଶର ଖେଳାଳି ୩୩ଟି ଭିନ୍ନ ଭିନ୍ନ ଖେଳରେ ଭାଗନେବେ । ଉଦଘାଟନୀ ଉତ୍ସବରେ ଭାରତର ୧୯ ଜଣ ଖେଳାଳି ଏବଂ ୬ ଜଣ କର୍ମଚାରୀ ଭାଗନେବେ । ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ୨୦୨୦ରେ ଆୟୋଜିତ ହେବା ପାଇଁ ଥିବା ବିଶ୍ୱର ସବୁଠାରୁ ବଡ କ୍ରୀଡା ପ୍ରତିଯୋଗିତା ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଂଚାଇ ଦିଆଯାଇଥିଲା ।