କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶା ସଂଚାର କରିଛନ୍ତି ଗଲ୍ଫ ଖେଳାଳୀ ଅଦିତି ଅଶୋକ । ଅଦିତି ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେର ତୃତୀୟ ପର୍ଯ୍ୟାୟ ଖେଳ ସୁଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅଦିତିଙ୍କ ପାଖରେ ସ୍ୱର୍ଣ୍ଣ ପଦକ ଜିତିବାର ସୁଯୋଗ ରହିଛି   । ଅନ୍ୟପଟେ ଖରାପ ପାଗ ଯୋଗୁଁ ଯଦି ଶନିବାର ଦିନ ଫାଇନାଲ ରାଉଣ୍ଡ ଖେଳ ହୋଇ ନ ପାରେ ତେବେ ଅଦିତିଙ୍କୁ ରୋପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିବ । ସେହିଭଳି ଯଦି ଫାଇନାଲ ମ୍ୟାଚ୍ ଖେଳାଯାଏ,ତେବେ ସ୍ୱର୍ଣ୍ଣ ପଦକ ପାଇଁ ମୁଖ୍ୟ ଦାବିଦାର ରହିଛନ୍ତି ଅଦିତି । ୨୩ ବର୍ଷିୟ ଅଦିତି ବେଙ୍ଗାଲୋର ସହରରୁ ନିଜର ଖେଳ ଆରମ୍ଭ କରି ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ପହଂଚିଛନ୍ତି ।

Advertisment

ଯଦି ଅଦିତି ପଦକ ଜିତୁଛନ୍ତି ତ ଏହା ଭାରତୀୟ ଗଲ୍ଫ ପାଇଁ ଏକ ଐତିହାସିକ ଦିନ ହେବ । କାରଣ ଏପର୍ଯ୍ୟନ୍ତ ଭାରତ କୌଣସି ଅଲିମ୍ପିକ୍ସରେ ଗଲ୍ଫ ଖେଳରେ ପଦକ ଜିତିପାରି ନାହିଁ । ୫ ବର୍ଷ ତଳେ ଅଦିତି ବରିଷ୍ଠ ଗଲ୍ଫ ଖେଳାଳୀଙ୍କ ସହ ଖେଳ ଆରମ୍ଭ କରିଥିଲେ । ୨୦୧୬ ରିଓ ଅଲିମ୍ପିକ୍ସରେ ଅଦିତି ମହିଳା ଗଲ୍ଫ ପ୍ରତିଯୋଗିତାରେ ସବୁଠାରୁ କମ ବୟସର ଖେଳାଳୀ ଥିଲେ ।

୨୩ ବର୍ଷିୟ ଅଦିତି ଅଶୋକ ଗୁରୁବାର ଦିନ ଦ୍ୱିତୀୟ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିଲେ ବି ବିଶ୍ୱର ଶ୍ରେଷ୍ଠ ଗଲ୍ଫ ଖେଳାଳୀ ନେଲି ଫୋର୍ଡାଙ୍କ ଠାରୁ ପଛରେ ପଡିଯାଇଥିଲେ । ଶୁକ୍ରବାର ଦିନ ତୃତୀୟ ରାଉଣ୍ଡରେ ଫୋର୍ଡା ୬୯ କାର୍ଡ ଖେଳି ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଦିତି ୬୮ କାର୍ଡ ଖେଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।