ଟୋକନକୁ ନେଇ କମ୍ପିଲା ବିଧାନସଭା । ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ । ମନ୍ତ୍ରୀ କହିଲେ ଧାନ କିଣାରେ ଟୋକନ୍ ପାଇଁ ନୋ ଟେନସନ୍ ।

188

କନକ ବ୍ୟୁରୋ : ଧାନ କିଣାକୁ ନେଇ କମ୍ପିଲା ବିଧାନସଭା । ଗୃହରେ ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଦଳ ଓ ବିରୋଧୀ ଦଳ ସଦସ୍ୟ । ଟୋକନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ । କିଛି ସମୟ ପାଇଁ ବିଧାନସଭାରେ ତାତି ଦେଖିବାକୁ ମିଳିଥିଲା । ଯେଉଁ ସ୍ଥାନରେ ନେଟ ନାହିଁ ସେଠି କିଭଳି ଟୋକନ ଦିଆଯିବ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଶାସକ ଦଳ ସଦସ୍ୟ । ଏପରିକି ଗୃହରେ ଟୋକନ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଏବଂ ବିରୋଧୀ ଦଳ ସଦସ୍ୟ ।

ଏହାର ଉତ୍ତରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ସମ୍ବଲପୁରରେ ୧୦୨ଟି ଧାନ କିଣା କେନ୍ଦ୍ରରୁ ୪୨ଟି କାର୍ୟ୍ୟକ୍ଷମ ହୋଇଛି । ୧୦,୭୯୦ ଟୋକନ ଇସ୍ୟୁ କରାଯାଇଛି । ସେଥିରୁ ୭୪୦୦ ଚାଷୀ ଟୋକନ ପାଇଛନ୍ତି । ୮୦, ୧୩୧ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ୯୨୩ ଜଣ ଚାଷୀ ଧାନ ବିକିଛନ୍ତି । ଗତ ବର୍ଷ ୭୦ହଜାର ମେଟ୍ରିକ ଟନ ଧାନ କିଣାଯାଇଥିବା ବେଳେ ଚଳିତ ବର୍ଷ ୮୦ହଜାର ମେଟ୍ରିକ ଟନ ଧାନ ସରକାର କିଣିସାରିଲେଣି। ଟୋକନ ବ୍ୟବସ୍ଥା ପାଇଁ ଧାନ କିଣା ବ୍ୟବସ୍ଥା ସ୍ୱଚ୍ଛ ହୋଇଛି । ତେଣୁ ସମସ୍ତ ସଦସ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଏପରିକି କେହି ପ୍ରକୃତ ଚାଷୀ ବାଦ୍ ପଡିଥିଲେ ଜିଲ୍ଲାପାଳ ତଦନ୍ତ କରି ତାଙ୍କୁ ସାମିଲ କରିବେ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।