କଳାହାଣ୍ଡି ଆଧିବାସୀଙ୍କ ନିଆରା ପରମ୍ପରା ଟୋକି ପର୍ବ । ଭଲ ଚାଷ ପାଇଁ ୧୨ ବର୍ଷରେ ଥରେ ପାଳନ ହୁଏ ନିଆରା ପର୍ବ

182

କନକ ବ୍ୟୁରୋ : ଆଦିବାସୀ ପରମ୍ପରା, ସଂସ୍କୃତି ଚାଲିଚଳଣୀରେ ଭରି ରହିଛି ଆଦିମ ସଭ୍ୟତାର ଝଲକ୍ । ଯଦିଓ ଧିରେଧିରେ ବେଶଭୂଷାରେ ପରିବର୍ତ୍ତନ ହୋଇଛି, ତଥାପି କନ୍ଧ ସମ୍ପ୍ରଦାୟରେ ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ । ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ପ୍ରତି ୧୨ ବର୍ଷ ଅନ୍ତରରେ ଟୋକିମରା ପର୍ବ ପାଳନ କରାଯାଏ। ଚଳିତ ବର୍ଷ ଜିଲ୍ଲାର ଥୁଆମୂଳରାମପୁର ଓ କଲମପୁର ବ୍ଲକ ଅନ୍ତର୍ଗତ ମାଠିଆପଡା ଗାଁରେ ଧୂମଧାମାରେ ପାଳିତ ହୋଇଛି ଟୋକିମରା ପର୍ବ । ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମ ପୂଜାରୀ, ଜାନି, ଗାଁ ମୁଣ୍ଡରେ ଅସ୍ଥାୟୀ ମାଟି ଘର ପାଖରେ ଟୋକିପର୍ବ ପୂଜା ଆରମ୍ଭ କରନ୍ତି । ପରେ ଇଷ୍ଟଦେବୀ ଓ ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରାଯାଇ ଦେବୀଙ୍କ ପୀଠରେ ପୂର୍ବ ବର୍ଷ ପୋତା ଯାଇଥିବା ଅସ୍ତ୍ରକୁ ବାହାର କରି ମାର୍ଜଣା କରିବା ପରେ ପାରମ୍ପରିକ ବାଜା ସହ ଗ୍ରାମ ପରିକ୍ରମା କରିବାର ବିଧି ରହିଛି ।

ଦେବୀଙ୍କ ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ଏକାଠି ହୋଇଥିଲେ । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ନାଚଗୀତ କରି ଗାଁ ମୁଣ୍ଡରେ ଥିବା ମାଟି ମାଆକୁ ପୂଜା କରିବା ପରେ ବୋଦା ବଳି ଦିଆଯାଇଥିଲା । ପରେ ବଳିର ଅଂଶକୁ ନେବା ପାଇଁ ଆଦିବାସୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଦେଖା ଦେଇଥିଲା । ବିଶ୍ୱାସ ରହିଛି, ଟୋକି ପର୍ବରେ ଦିଆଯାଇଥିବା ବଳିର ଅଂଶକୁ ନେଇ ନିଜ ଚାଷ ଜମିରେ ପୋତିଲେ, ଦେବୀଙ୍କ କୃପାରୁ ଭଲ ଫସଲ ଅମଳ ହୋଇଥାଏ । ପୂର୍ବରୁ ଏହି ପର୍ବରେ କୁମାରୀ କନ୍ୟାକୁ ବଳି ଦେବା ପରମ୍ପରା ଥିଲା । ଏବେ ବୋଦାକୁ ମଣିଷ ନାମରେ ନାମିତ କରି ବଳି ଦିଆଯାଉଛି । ତେଣୁ ଏହି ପର୍ବକୁ
ଟୋକି ମରା ପର୍ବ ବୋଲି କୁହାଯାଏ ।