ସୁନ୍ଦରଗଡ଼ରେ ଟୋକନ୍ ସ୍କାମ, ଦଲାଲଙ୍କ କବଜାରେ ମଣ୍ଡି । ମିଛ ଚାଷୀଙ୍କ ନାଁରେ ଦିଆଯାଉଛି ଟୋକନ୍ । ଅସାଧୁ କର୍ମଚାରୀ, ମିଲର୍ସ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ହଡପ୍ ହେଉଛି ସରକାରୀ ଅର୍ଥ

97

କନକ ବ୍ୟୁରୋ : ଚାଷୀଙ୍କ ଟୋକନ ପାଉଛନ୍ତି ଦଲାଲ । ଚାଷୀଙ୍କ ନାଁର ପଞ୍ଜୀକରଣ କରି ମଣ୍ଡିରେ କ୍ୱିଂଟାଲ କ୍ୱିଟାଂଲ ଧାନ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ଆଉ ଏସବୁ ଚାଲୁଛି ସରକାରୀ ବାବୁ, ଲ୍ୟାମ୍ପସ ଅଧିକାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ । ସୁନ୍ଦରଗଡରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ତେଣୁ ଧାନ କିଣାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଆରମ୍ଭ କରିଥିବା ଟୋକନ ବ୍ୟବସ୍ଥା ବାଟବଣା ହୋଯାଇଛି ।

ଫାର୍ମର ରେଜିଷ୍ଟ୍ରେସନ କରିବା ପାଇଁ ଚାଷୀ, ନିଜର ସମସ୍ତ ତଥ୍ୟ ଦେବା ସହିତ ଯଦି ନିଜସ୍ୱ ଜମି ଥାଏ ତେବେ ସେନେଇ ତଥ୍ୟ ପ୍ରଦାନ କରିଥାନ୍ତି । ନହେଲେ ଭାଗ ନେଇ ଚାଷ କରୁଥିଲେ ଜମି ମାଲିକଙ୍କ ନାଁ ସହିତ କେତେ ଜମି ଚାଷ କରୁଛନ୍ତି ସେ ବାବଦରେ ମଧ୍ୟ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାର ନିୟମ ଅଛି । ହେଲେ ଏହି ତଥ୍ୟ ପ୍ରଦାନରେ କିଭଳି ଚାଲିଛି ସାଂଘାତିକ ଷଡଯନ୍ତ୍ର ଟିକେ ଦେଖି ନିଅନ୍ତୁ ।

ପୂର୍ବରୁ ଧାନ କିଣାରେ ସାରା ରାଜ୍ୟରେ ବ୍ୟାପକ ଦୁର୍ନିତୀ ସାମ୍ନାକୁ ଆସିଥିଲା । କେତେବେଳେ ବାହାର ରାଜ୍ୟର ଧାନକୁ ଚାଷୀଙ୍କ ନାଁରେ ଦଲାଲ ବିକ୍ରି କରି ଦେଉଥିଲା । ତ ଆଉ କେତେବେଳେ ଦଲାଲ ଓ ମିଲର ମିଶି ଚାଷୀର ଧାନକୁ କମ ମୂଲ୍ୟରେ କିଣି ସରକା ଙ୍କୁ ଉଚ୍ଚ ଦରରେ ବିକ୍ରି କରୁଥିଲେ । ଆଉ ସରକାରଙ୍କୁ ହଜାର ହଜାର କୋଟି କ୍ଷତି ସହିବାକୁ ପଡୁଥିଲା । ହେଲେ ଏହି ତମାମ ଦୁର୍ନୀତିକୁ ରୋକିବା ପାଇଁ ୨୦୧୮ ରେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥା ମାଧ୍ୟମରେ ଧାନ କିଣିବା ବ୍ୟବସ୍ଥା ଆରମ୍ଭ କଲେ । ହେଲେ ଏହି ନୂଆ ବ୍ୟବସ୍ଥାରେ ମଧ୍ୟ ଦୁର୍ନୀତିର ନୂଆ ବାଟ ବାହାର କରିଛନ୍ତି ଅସାଧୁ କର୍ମଚାରୀ ଓ ଦଲାଲ ।

ପୁରା ଦୁର୍ନୀତିରେ ଜଣେ ଲ୍ୟାମ୍ପ୍ସ ସିଇଓଙ୍କ ନାଁ ସାମ୍ନାକୁ ଆସିଛି । ଦଲାଲକୁ ଟଙ୍କା ଦେଇ ସେ ଏହିଭଳି ମିଥ୍ୟା ରେଜିଷ୍ଟ୍ରେସନ ଜରିଆରେ ଟୋକନ ହାସଲ କରୁଛନ୍ତି । ମଣ୍ଡିରୁ ଫେରି ଆସୁଥିବା ଚାଷୀଙ୍କୁ ଫୁସୁଲାଇ କମ ଦାମରେ ଧାନ କିଣୁଛନ୍ତି । ଏବଂ ସେହି ଧାନକୁ ପୁଣି ସରକାରୀ ଦରରେ ମଣ୍ଡିରେ ବିକ୍ରି କରୁଛନ୍ତି । ହେଲେ ଏଭଳି ଅଭିଯୋଗ ଆସିଥିଲେ ସୁଦ୍ଧା ନିଜ ସଫେଇ କିଛି କହିନାହାନ୍ତି ସରକାରୀ ବାବୁ ଜଣକ ।

ଚାଷୀ ଚାଷ କାମ ଆରମ୍ଭ କରିବା ପରେ ଲ୍ୟାମ୍ପସକୁ ଯାଇ ସେଠାରେ ତାର ଜମିର ତଥ୍ୟ, ଆଧାରକାର୍ଡ ଏବଂ ଅନ୍ୟାନ୍ୟ ସମସ୍ତ ଫର୍ମରେ ପୂରଣ କରି ଦେଲା ପରେ ଲ୍ୟାମ୍ପସ କର୍ମଚାରୀ ତାହାକୁ ତନଖି କରି ସରକାରଙ୍କ ଫୁଡ ଓଡିଶା ପୋଟାଲରେ ଅପଲୋଡ କରିଥାନ୍ତି । ଏହାପରେ ରାଜ୍ୟସ୍ତରରେ ଏହି ତଥ୍ୟ ଗୁଡିକୁ ଚେକ୍ କରାଗଲା ପରେ ଚାଷୀଙ୍କ ନାଁରେ ଟୋକନ ଇସ୍ୟୁ ହୋଇଥାଏ ।

ଚାଷୀର ଟୋକନ ତାରିଖର ୭ ଦିନ ପୂର୍ବରୁ ତାଙ୍କ ପାଖରେ ମେସେଜ୍ ମାଧ୍ୟମରେ ଟୋକନ ନମ୍ବର ଓ ସେ କେତେ କୁଇନ୍ଟାଲ ଧାନ ବିକ୍ରି କରିବେ ତାହା ଜଣାଯାଇଥାଏ । ହେଲେ ଏହି ଘଟଣାକୁ ନେଇ ମହୁଲପାଲି ଲ୍ୟାମ୍ପସର ଏମଡି ସବୁ ଠିକ୍ ଠାକ ଚାଲିଥିବା ସଫେଇ ରଖିଛନ୍ତି । ଅର୍ଥାତ ବଡଧରଣର ଦୁର୍ନୀତି ଚାଲିଥିଲେ ମଧ୍ୟ ସମସ୍ତେ ଆଖି ବୁଜି ଦେଇଛନ୍ତି ।