ଚାଷୀଙ୍କ ଦାବି ମାନିଲେନି ସରକାର, ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ହେବନି ବୋଲି ସ୍ପଷ୍ଟ କଲେ ମନ୍ତ୍ରୀ । ନୂଆ ପଦ୍ଧତି ଆପଣାଇବାକୁ ଚାଷୀଙ୍କୁ ପରାମର୍ଶ, ବ୍ୟବସ୍ଥାରେ ତ୍ରୁଟି ଥିଲେ ମତାମତ ଦେବାକୁ ଅପିଲ୍ କଲେ ବିଭାଗୀୟ ମନ୍ତ୍ରୀ ।

367

କନକ ବ୍ୟୁରୋ : ଟୋକନ ବ୍ୟବସ୍ଥାକୁ ନେଇ ରାଜ୍ୟରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ବିଧାନସଭାରେ ବଡ ବୟାନ ଦେଇଛନ୍ତି । ଟୋକନ ବ୍ୟବସ୍ଥା କୌଣସି ମତେ ପ୍ରତ୍ୟାହାର ହେବନି ବୋଲି ଆଜି ପୁଣି କହିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ଏହି ବ୍ୟବସ୍ଥା ଦ୍ୱାରା ଚାଷୀମାନେ ସେମାନଙ୍କ ଉଚିତ ପ୍ରାପ୍ୟ ପାଇବେ ଓ ସ୍ୱଚ୍ଛତା ଆସିବ । ତେଣୁ ଏହି ନୂଆ ପଦ୍ଧତିକୁ ଆପଣେଇବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଯଦି ବ୍ୟବସ୍ଥାରେ କୌଣସି ତ୍ରୁଟି ଅଛି ଏହାର ସମାଧାନ ପାଇଁ କେହି ପରାମର୍ଶ ଦେଲେ ତାକୁ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଏହାପୂର୍ବରୁ ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ପଶ୍ଚିମ ଓଡିଶା ଚାଷୀଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଚାଷୀ ଆନ୍ଦୋଳନକୁ ଅଧିକ ତୀବ୍ର କରିବା ପାଇଁ ବରଗଡ ଅତାବିରାରେ ପୁଣି ବୈଠକ କରୁଛନ୍ତି ଚାଷୀ । କିଭଳି ପ୍ରତିବାଦକୁ ଅଧିକ ଅଧିକ ଶାଣିତ କରାଯାଇପାରିବ ଓ ଆଗକୁ କଣ ରହିବ ରଣନୀତି ସେ ନେଇ ଏହି ବୈଠକରେ ଆଲୋଚନା ହେଉଛି । ଆଜି ବରଗଡ ଜିଲ୍ଲାର ଅତାବିରାରେ ବନ୍ଦ୍ ଡାକରା ଦେଇଛନ୍ତି ଚାଷୀ । ଦୁଇ ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ୍ କରିବା ପରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ସରକାରୀ କାଯ୍ୟାର୍ଳୟ ଓ ଦୋକାନ, ବଜାର, ବନ୍ଦ୍ ରହିଛି । ଟୋକନ ଉଛେଦ ଦାବିରେ ଗତ ତିନ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ଟୋକନ ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ଚାଷୀ ଉତେଜନାକୁ ପ୍ରଶମିତ କରିବା ପାଇଁ ଗତକାଲି ଚାଷୀ ପ୍ରତିନିଧିଙ୍କ ସହ ବୈଠକ କରିଥିଲା ବରଗଡ ଜିଲ୍ଲା ପ୍ରଶାସନ । ହେଲେ ଆଲୋଚନା ବିଫଳ ହୋଇଥିଲା । ଏବଂ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ ଚାଷୀ । ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଛେଦ କରାଯାଇ ପୂବ ବର୍ଷ ଭଳି ପି. ପାସ୍ ମାଧ୍ୟମରେ ଧାନ ସଂଗ୍ରହ କରାଯାଉ ବୋଲି ଦାବିରେ ଅଟଳ ରହିଛନ୍ତି ଚାଷୀ । ଏବଂ ଟୋକନ ବ୍ୟବସ୍ଥା ଉଛେଦ ନହେଲେ ସରକାରଙ୍କୁ ଅସହଯୋଗ କରାଯିବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ସେହିଭଳି ସମ୍ବଲପୁରରେ ମଧ୍ୟ ତୀବ୍ର ହୋଇଛି ଚାଷୀ ଅସନ୍ତୋଷ । ଟୋକନ ବ୍ୟବସ୍ଥା ଉଛେଦ ଦାବିରେ ମଙ୍ଗଳବାର ସ୍ଥାନୀୟ ବିଧାୟକମାନଙ୍କ ଘର ସମ୍ମୁଖରେ ଧାନ ରଖି ପ୍ରତିବାଦ କରିବା ପରେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ସଜ ହେଉଛନ୍ତି ଚାଷୀ । ସରକାର ଯଦି ଟୋକନ ବ୍ୟବସ୍ଥାକୁ ଉଛେଦ ନକରନ୍ତି, ତେବେ ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ସୋମବାର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାନ ଗାଡି ରଖି ବିକ୍ଷୋଭ କରିଥିଲେ ଚାଷୀ । ସରକାର ଚାଷୀଙ୍କ ଦାବିକୁ ନଶୁଣିଲେ ମଙ୍ଗଳବାର ବିଧାୟକଙ୍କ ଘର ଆଗରେ ବିକ୍ଷୋଭ କରିବାକୁ ଧମକ ଦେଇଥିଲେ ଚାଷୀ । ଆଉ ସେହି ଅନୁସାରେ ଗତକାଲି ସମ୍ବଲପୁର ଜିଲ୍ଲାର ୪ଜଣ ବିଧାୟକଙ୍କ ଘର ସମ୍ମୁଖରେ ଚାଷୀ ମାନେ ଧାନ ରଖି ପ୍ରତିବାଦ କରିଛନ୍ତି । ସମ୍ବଲପୁର ବିଧାୟକ ଜୟନାରାଣ ମିଶ୍ର, ରେଙ୍ଗାଳି ବିଧାୟକ ନାଉରୀ ନାୟକ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଏବଂ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କ ଘର ଆଗରେ ଚାଷୀମାନେ ଅଭିନବ ଢଙ୍ଗରେ କରିଛନ୍ତି ପ୍ରତିବାଦ ।