ସ୍ୱଚ୍ଛ ଭାରତ ଯୋଜନାରେ ଅର୍ଥ ହଡପ ଅଭିଯୋଗ: ପାଇଖାନା ନିର୍ମାଣରେ ବଡ ଘୋଟାଲା, ଠିକାଦାର-ଅସାଧୁ ଅଧିକାରୀ ମାଲେମାଲ୍; ଯାଜପୁରରୁ ଆସିଲା ଦୁର୍ନୀତିର ଗନ୍ଧ

251

କନକ ବ୍ୟୁରୋ: ସ୍ୱଚ୍ଛ ଭାରତ ଯୋଜନାରେ ଅର୍ଥ ହଡପ୍ ଅଭିଯୋଗ । ବ୍ୟକ୍ତିଗତ ପାଇଖାନା ନିର୍ମାଣରେ ଘୋଟାଲା । ଠିକାଦାର ଓ ଅସାଧୁ ଅଧିକାରୀ ମାଲେମାଲ୍ । ଯାଜପୁର କୋରାଇ ବ୍ଲକ ବଡବିରୁହାଁ ପଞ୍ଚାୟତରେ ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ ଆସିଛି । ପଞ୍ଚାୟତର  ୮ ଶହରୁ ଅଧିକ ହିତାଧିକାରୀଙ୍କ ନାମରେ ପାଇଖାନା ନିର୍ମାଣ ପାଇଁ ଅର୍ଥ ଆସିଥିବା ବେଳେ ସେଥିରୁ ପ୍ରାୟ ୨ଶହ ପାଇଖାନା ନିର୍ମାଣ ନହୋଇ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବାରୁ ନିର୍ମାଣ ହୋଇଥିବା ପାଇଖାନା ଗୁଡିକ ମଧ୍ୟ ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ । ଫଳରେ ମଳତ୍ୟାଗ ବା ଶୌଚକ୍ରିୟା ପାଇଁ ଲୋକେ ପୂର୍ବଭଳି ବିଲବାଡି ବା ପଡିଆକୁ ଯାଉଛନ୍ତି । ସରକାର ୧୨ହଜାର ଟଙ୍କା ଦେଉଥିବା ବେଳେ ଅଧା ଅର୍ଥ ବି ଖର୍ଚ୍ଚ ହୋଇନଥିବା ଦର୍ଶାଇଛନ୍ତି ଉପଭୋକ୍ତା । ଘଟଣାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ପଞ୍ଚାୟତର ସମିତିସଭ୍ୟ । ପ୍ରଶାସନିକ ଅଧିକାରୀ କହିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଫେଲ ମାରିଛି ସ୍ୱଚ୍ଛ ଭାରତ ମିଶନ । କିଛି ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ଲାଭଖୋର ମନଭାବ  ଯୋଗୁଁ ବିଫଳ ହୋଇଛି ଉଦେଶ୍ୟ । ହିତାଧିକାରୀଙ୍କ ନାଁ ଓ ଦସ୍ତଖତରେ ହଡପ ହୋଇଛି ଯୋଜନାର ଅର୍ଥ । ଏଭଳି ଦୁର୍ନୀତି ମହାମାରୀ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବଡବିରୁହାଁ ପଂଚାୟତରେ । ଏହି ପଂଚାୟତର ଅଧିକାଂଶ ଉପଭୋକ୍ତଙ୍କ ପାଇଁ ପାଇଖାନା ନିର୍ମାଣ ସରିଛି, ହେଲେ ବ୍ୟବହାର ହୋଇପାରୁନାହିଁ । ନିମ୍ନମାନର କାମ ଯୋଗୁଁ ଧିରେ ଧିରେ ଧରାସାଇ ହେବାକୁ ବସିଛି ପାଇଖାନା ।

ସ୍ୱଚ୍ଛ ଭାରତ ଯୋଜନାରେ ବଡବିରୁହାଁ ପଂଚାୟତରେ ୧ ହଜାର ୨୩ ଜଣଙ୍କ ପାଇଁ ପାଇଖାନା ନିର୍ମାଣକୁ ଅନୁମତି ମିଳିଥିଲା । ସେଥି ମଧ୍ୟରୁ ୮୦୫ଟି ପାଇଖାନା ନିର୍ମାଣ ହୋଇଥିବା ତଥ୍ୟ ମିଳିଛି । ହେଲେ ପ୍ରକୃତରେ ୬ଶହ ପାଇଖାନା ବି ହୋଇନାହିଁ । ପାଇଖାନା ନିର୍ମାଣ ତାଲିକାରେ ଜାଲିଆତି ହୋଇଥିବା ସ୍ଥାନୀୟ ପଂଚାୟତର ସମିତି ସଭ୍ୟ ଦର୍ଶାଇଛନ୍ତି । ଏହାସହ ପାଇଖାନା ବାବଦକୁ କେନ୍ଦ୍ର ସରକାର ଦେଉଥିବା ଅର୍ଥର ଅଧା ଖର୍ଚ୍ଚ ହେଉନଥିବା ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ବଡବିରୁହାଁ ପଂଚାୟତର ସମିତି ସଭ୍ୟ ।

ଗ୍ରାମାଂଚଳର ପରିବେଶକୁ ସୁସ୍ଥ ଓ ସ୍ୱଚ୍ଛ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ । ଏହି ଯୋଜନାରେ ଲୋକଙ୍କୁ ପାଇଖାନା ଯୋଗାଇ ଦିଆଯାଉଛି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଲୋକେ ଆଜି ବି ଶୌଚ ପାଇଁ ବାହାରକୁ ଯାଉଛନ୍ତି ।