କଟକରେ ବଢ଼ୁଛି ଜନସଂଖ୍ୟା କିନ୍ତୁ ବଢ଼ୁନି ଶୌଚାଳୟ ସଂଖ୍ୟା । ଶୌଚ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ସତର୍କ କଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ…

79

କନକ ବ୍ୟୁରୋ: ହଜାରେ ବର୍ଷର ପୁରୁଣା ସହର କଟକ । ୨୦୦୦ ମସିହାରେ ଏହି ସହର ଜନସଂଖ୍ୟା ପ୍ରାୟ ସାଢ଼େ ୫ଲକ୍ଷ ଥିଲା । କିନ୍ତୁ ଏବେ କଟକର ଜନସଂଖ୍ୟା ପାଖାପାଖି ୮ଲକ୍ଷରେ ପହଁଚିଲାଣି । ଏଥିସହ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ସହରକୁ ହଜାର ହଜାର ଲୋକ ଆସିଥାନ୍ତି । ହେଲେ, ଯେଉଁ ଅନୁପାତରେ କଟକ ସହରର ଜନସଂଖ୍ୟା ବଢ଼ୁଛି ସେହି ଅନୁପାତରେ ବଢ଼ୁନି, ଶୌଚାଳୟ କି ସେହିଭଳି ସୁବିଧା । ଆଉ ଯେତିକି ଶୌଚାଳୟ ଅଛି ସେଗୁଡିକର ଅବସ୍ଥା ନକହିବା ଭଲ ।

କେଉଁଠି ପାଣି ଆସୁନି ତ ଆଉ କେଉଁଠି ତାଲା ପଡିଛି । ସହରର ଏଭଳି ଅବସ୍ଥା ପାଇଁ ସହରବାସୀଙ୍କ ସମେତ ବଡମେଡିକାଲ, ହାଇକୋର୍ଟ ଓ ଅନ୍ୟାନ୍ୟ କାମରେ ବାହାରୁ ଆସୁଥିବା ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୌଚାଳୟ ଅଭାବରୁ ବାହାରେ ଶୌଚ କରୁଥିବା ଲୋକଙ୍କ ପାଇଁ ବିପଦ ରହିଛି । ବିଭିନ୍ନ ପ୍ରକାର ରୋଗରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ସତର୍କ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଅନ୍ୟପଟେ କଟକ ସହରରେ ଶୌଚାଳୟ ସମସ୍ୟା କଥାକୁ ସ୍ୱୀକାର କରିଛନ୍ତି ମହାନଗର ନିଗମ କମିଶନର । ଏସବୁ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନିଆଯିବା ସହ, ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରରେ ଆଗକୁ ୭୦ରୁ ୧୦୦ଟି ଶୌଚାଳୟ ନିର୍ମାଣ କରାଯିବ ବୋଲି କହିଛନ୍ତି କମିଶନର । ସହରରେ ଥିବା ବିଭିନ୍ନ ସମସ୍ୟା ଭିତରେ କମ୍ ସଂଖ୍ୟକ ଓ ଅବ୍ୟବସ୍ଥା ଘେରରେ ଥିବା ଶୌଚାଳୟ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।