ଏକାଠି ହେଲେ ବିଶ୍ୱର ଦୁଇ ଶକ୍ତଶାଳୀ ପ୍ରତିଦ୍ୱନ୍ଦୀ ବାଇଡେନ୍ ଓ ପୁତିନ୍ । ଜେନିଭାରେ ଏକାଘଂଟାରୁ ଅଧିକ ସମୟ ଧରି ଆଲୋଚନା । ରାଷ୍ଟ୍ରଦୂତ ପୁନଃ ଅବସ୍ଥାପିତ କରିବାକୁ ସହମତି

272

କନକ ବ୍ୟୁରୋ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର, ହେଲେ ପରସ୍ପରର ପ୍ରତିଦ୍ୱନ୍ଦୀ ଭାବେ ଗଣାଯାଆନ୍ତି । ଆମେରିକା ଓ ରୁଷ୍ । ଏକଦା ଶୀତଳ ଯୁଦ୍ଧରେ ପରସ୍ପରକୁ ଚେକ୍ ମେଟ୍ କରିବାକୁ ପ୍ରୟାସ କରିଆସୁଥିଲେ ଉଭୟ ଦେଶ । ଆଉ ଯେତେବେଳେ ଏହି ଦୁଇଦେଶର ମୁଖ୍ୟ ପରସ୍ପରକୁ ଭେଟନ୍ତି, ସାରା ବିଶ୍ୱର ନଜର ଏହା ଉପରେ ଅଟକିବା ସ୍ୱାଭାବିକ ।

ସୁଇଜରଲ୍ୟାଣ୍ଡର ଜେନେଭାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଏକ ଘଂଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ସାକ୍ଷାତରେ ଉଭୟ ରାଷ୍ଟ୍ରମୁଖ୍ୟ ଦ୍ୱିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ବିଶେଷକରି ଆମେରିକା ଓ ରୁଷ୍ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଉଭୟ ନେତା । ସାଇବର ସୁରକ୍ଷା, ମାନବ ଅଧିକାର ପ୍ରସଙ୍ଗ ଆଲୋଚନାର ପରିସରକୁ ଆସିଥିଲା । ଏହି ଆଲୋଚନା ଗଠନ ମୂଳକ ଥିବା ଉଭୟ ପୁତିନ ଓ ବାଇଡେନ୍ କହିଥିଲେ । ତେବେ ଆମେରିକୀୟ ଗଣତନ୍ତ୍ରରେ କୌଣସି ପ୍ରକାର ହସ୍ତକ୍ଷେପକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ବାଇଡେନ ।

ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ପୁତିନଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ । ଉଭୟ ନେତା ପୂର୍ବରୁ ପରସ୍ପର ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏପରିକି ପୁତିନଙ୍କୁ ଜଣେ ହତ୍ୟାକାରୀ ବୋଲି କହିଥିଲେ ବାଇଡେନ । ସେହିପରି ନିର୍ବାଚନ ବେଳେ ରୁଷ୍ ଟ୍ରମ୍ପ ପକ୍ଷଙ୍କୁ ସହାୟତା କରୁଥିବା ଅଭିଯୋଗ ହୋଇଆସୁଥିଲା । ଯଦିଓ ରୁଷ୍ ସହ ଆଗକୁ ସମ୍ପର୍କ ସୁଧାରିବା କଥା ବାଇଡେନ କହିଛନ୍ତି, ହେଲେ ଏଥିରେ ସମ୍ଭାବନା ଅପେକ୍ଷା ଅଧିକ ସତର୍କତା ବାରିହୋଇପଡ଼ିଛି । ଗତବର୍ଷ ଉଭୟ ଆମେରିକା ଓ ରୁଷ୍ ନିଜ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଥିଲେ । ତେବେ ରାଷ୍ଟ୍ରଦୂତ ପୁନଃ ଅବସ୍ଥାପିତ କରିବାକୁ ଏହି ବୈଠକରେ ସହମତି ହୋଇଛି ।