ରାଜ୍ୟରେ ଗୋଟିଏ ଦିନରେ ଆଉ ୧୯ ଶହ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୧୨ ଶହ ୨୫, ସ୍ଥାନୀୟ ଅଂଚଳରୁ ୭୫୬ । କରୋନା ସଂକ୍ରମଣରେ ଗଲା ଆଉ ୯ ଜୀବନ, ଦେଶରେ ୬୬ ହଜାର ୯୯୯ ନୂଆ ଆକ୍ରାନ୍ତ ଚିହ୍ନଟ ।

515

କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରେକର୍ଡ ସଂଖ୍ୟକ କୋଭିଡ୍ ଟେଷ୍ଟ କରାଯାଇଛି । ସେହିପରି ରେକର୍ଡସଂଖ୍ୟକ ନୂଆ ଆକ୍ରାନ୍ତ ମଧ୍ୟ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୦ ହଜାର ୭୧୧ କରୋନା ପରୀକ୍ଷା କରାଯାଇଛି । ଆଉ ଏହା ମଧ୍ୟରୁ ୧୯ ଶହ ୮୧ ଜଣ କରୋନା ପଜଟିଭି ଚିହ୍ନଟ ହୋଇଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ପଜିଟିଭ୍ ସଂଖ୍ୟା ବଢିଥିଲେ ବି ସଂକ୍ରମଣ ହାର କମ୍ ରହିଛି । ପ୍ରାୟ ୫ ପ୍ରତିଶତ ରହିଛି ରାଜ୍ୟରେ ଆଜି ସଂକ୍ରମଣ ହାର । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨ ଶହ ୨୫ ଓ ସ୍ଥାନୀୟ ସଂକ୍ରମଣରୁ ୭୫୬ ଜଣ ଚିହ୍ନଟ ହୋଇଛନ୍ତି । ଲଗାତାର ଦ୍ୱିତୀୟ ଦିନ ପାଇଁ ଗଞ୍ଜାମକୁ ଟପିଛି ଖୋର୍ଧା ।

ଖୋର୍ଧାରେ ୨୭୪ ଓ ଗଞ୍ଜାମରେ ୨୬୭ଟି ମାମଲା ସାମ୍ନାକୁ ଆସିଛି । ସେହିଭଳି କଟକରେ ୧୩୧, ସୁନ୍ଦରଗଡରେ ୧୪୫ ଓ କନ୍ଧମାଳରେ ୧୭୯ ରୋଗୀ ଚିହ୍ନଟ ହୋଇଛନ୍ତି । ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନୟାଗଡ ଓ ସୋନପୁର । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩ରେ ପହଁଚିଛି । ଏମାନଙ୍କ ମଧ୍ୟରୁ ୩୬ ହଜାର ୪୭୯ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ମାମଲା ରହିଛି ୧୫ ହଜାର ୮୦୭ । କେବଳ ଅଗଷ୍ଟ ମାସର ୧୩ ଦିନରେ ୨୦ ହଜାର ୮୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯ ଜଣ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି । ଅଗଷ୍ଟ ମାସର ପ୍ରଥମ ୧୩ ଦିନରେ ୧୩୭ ଜଣ ପ୍ରାଣ ହରାଇଛନ୍ତି ।

ଦେଶରେ ମଧ୍ୟ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ରେକର୍ଡ ସଂଖ୍ୟକ ନୂଆ ଆକ୍ରାନ୍ତ । ଗତ ୨୪ଘଂଟାରେ ଦେଶରେ ୬୬ ହଜାର ୯୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୮ରେ ପହଁଚି ଯାଇଛି । ଯାହା ମଧ୍ୟରେ ୬ ଲକ୍ଷ ୫୩ ହଜାର ୬୨୨ଟି ସକ୍ରିୟ ମାମଲା ରହିଛି । ଚିକିତ୍ସା ପରେ ଡାକ୍ତରଖାନାରୁ ସୁସ୍ଥ ହୋଇଫେରିଛନ୍ତି ୧୬ ଲକ୍ଷ ୯୫ ହଜାର ୯୮୨ ଜଣ । ସେହିପରି ଗତ ୨୪ ଘଂଟାରେ ଦେଶରେ ୯୪୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୭ ହଜାର ଅତିକ୍ରମ କରିଛି । ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୭ ହଜାର ୩୩କୁ ବୃଦ୍ଧି ପାଇଛି । ଗତକାଲି ସାରା ଦେଶରେ ୮ ଲକ୍ଷ ୩୦ ହଜାର ୩୯୧ ନମୁନା ପରୀକ୍ଷା ହୋଇଥିଲା । ଏହାକୁ ମିଶାଇ ବର୍ତମାନ ସୁଦ୍ଧା ଦେଶରେ ମୋଟ କୋଭିଡ୍ ପରୀକ୍ଷା ସଂଖ୍ୟା ୨ କୋଟି ୬୮ ଲକ୍ଷ ୪୫ ହଜାର ୬୮୮ ରେ ପହଁଚିଛି ।