ଆଜି ସମ୍ବିଧାନ ଦିବସ । ଅପରାହ୍ଣ ୧୨.୧୫ରେ ବିଧାନ ସୌଧର ସମ୍ମିଳନୀ କକ୍ଷରେ ଏକାଠି ହେବେ ସମସ୍ତ ବିଧାୟକ

204

କନକ ବ୍ୟୁରୋ : ନଭେମ୍ବର ୨୬ ତାରିଖକୁ ‘ସମ୍ବିଧାନ ଦିବସ’ ଭାବେ ପାଳନ କରାଯାଉଛି। ଓଡ଼ିଶା ବିଧାନସଭା ପକ୍ଷରୁ ଏହାକୁ ପାଳନ କରିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ମଙ୍ଗଳବାର ଦିନ ଅପରାହ୍ନ ୧୨ଟା ୧୫ରେ ବିଧାନସୌଧରେ ଥିବା ସମ୍ମିଳନୀ କକ୍ଷରେ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ଏହାକୁ ପାଳନ କରାଯିବ। ଏଥି ପାଇଁ  ବିଧାନସୌଧକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯାଇଛି।

ବିଧାନସଭାର ପ୍ରଶ୍ନକାଳରେ  ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଆମ ସମ୍ବିଧାନ ଆମର ଅମୂଲ୍ୟ ସମ୍ପଦ। ଭାରତର ସମ୍ବିଧାନ ୭୦ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଉପଲକ୍ଷେ  ସଂସଦର କେନ୍ଦ୍ରୀୟ ହଲରେ ‘ସମ୍ବିଧାନ ଦିବସ’ ପାଳନ କରାଯାଉଛି। ବିଭିନ୍ନ ରାଜ୍ୟର ବିଧାନସଭା ଓ ବିଧାନ ପରିଷଦରେ ଏହାକୁ ପାଳନ କରିବା ପାଇଁ କୁହାଯାଇଛି। ତେଣୁ ଆମ ବିଧାନସଭାରେ ଏହାକୁ ପାଳନ କରିବା ପାଇଁ ବାଚସ୍ପତି ଏକ ସର୍ବଦଳୀୟ ବୈଠକ ଡାକିବାକୁ ଶ୍ରୀ ଆରୁଖ ପ୍ରସ୍ତାବ ଦେଇଥିଲେ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ସମ୍ବିଧାନ ଦିବସ ପାଳନ କରିବାକୁ ମୁଖ୍ୟତଃ ଦୁଇଟି କାମ କରିବା ପାଇଁ ବିଧାନସଭାକୁ କୁହାଯାଇଛି। ଗୋଟିଏ ହେଲା ବିଧାନସୌଧକୁ ରଙ୍ଗୀନ ଆଲୋକମାଳାରେ ସଜାଇବା। ଏହି କାମ ଆରମ୍ଭ ହୋଇଗଲାଣି। ଦ୍ବିତୀୟଟି ହେଲା ସମସ୍ତ ବିଧାୟକ ଏକାଠି ହୋଇ ଗୋଟିଏ ସଭା କରିବେ।  ବୈଠକର ନିଷ୍ପତ୍ତି ଅନୁଯାୟୀ ୧୨ଟା ୧୫ରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ‘ସମ୍ବିଧାନ ଦିବସ’ ପାଳନ କରାଯିବ। ଏଥିରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ବାଚସ୍ପତି ଗୃହରେ ଅନୁରୋଧ କରିଥିଲେ।

Comments are closed.