ମହିଳା ଦିବସରେ ମହା ମୁକାବିଲା । ମେଲବର୍ଣ୍ଣରେ ବିଶ୍ୱକପ ଜିତି ସ୍ୱପ୍ନ ସାକାର କରିପାରେ ଭାରତୀୟ ମହିଳା କ୍ରିକେଟ ଟିମ୍ । ଆଜି ଭାରତ- ଅଷ୍ଟ୍ରେଲିଆ ହାଇ ଭୋଲଟେଜ ମ୍ୟାଚ୍

560

କନକ ବ୍ୟୁରୋ: ମହିଳା ଦିବସରେ ମହା ମୁକାବିଲା । ଆଜି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ ଟକ୍କର । ମେଲବର୍ଣ୍ଣ କ୍ରିକେଟ ପଡିଆରେ ହେବ ଏହି ହାଇଭୋଲଟେଜ ମ୍ୟାଚ । ଏଥିରେ ବିଶ୍ୱକପ୍ ଆୟୋଜକ ଅଷ୍ଟ୍ରେଲିଆକୁ ଟକ୍କର ଦେବେ ଭାରତୀୟ ଦଳ । ଭାରତ ପାଇଁ ଚଳିତ ବିଶ୍ୱକପ୍ ବେଶ ସ୍ମରଣୀୟ ରହିବ । କାରଣ ଏହା ପୂର୍ବରୁ ଭାରତ କେବେ ଫାଇନାଲକୁ ଯାଇ ପାରିନଥିଲା । ୨୦୦୯, ୨୦୧୦ ଓ ୨୦୧୮ରେ ସେମିଫାଇନାଲରେ ପ୍ରବେଶ କରିବା ପରେ ପରାସ୍ତ ହୋଇଥିଲା ।

ତେଣୁ ପ୍ରଥମ ଥର ପାଇଁ ବିଶ୍ୱକପ୍ ଆଣିବାର ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ରହିଛି ହରମନପ୍ରୀତ୍ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ । ଅନ୍ୟପଟେ ଚଳିତ ସପ୍ତମ ସଂସ୍କରଣ ପୂର୍ବରୁ ଏଥରର ଆୟୋଜକ ଅଷ୍ଟ୍ରେଲିଆ ୫ଥର ଫାଇନାଲ ପ୍ରବେଶ କରିଥିବାବେଳେ ୪ଥର ବିଜେତା ହୋଇଛି । ଏଥର ପରାଜୟରୁ ଅଭିଯାନ ଆରମ୍ଭ କରିବା ସତ୍ୱେ କ୍ରମାଗତ ଷଷ୍ଠ ଥର ଫାଇନାଲରେ ପ୍ରବେଶ କରିଛି । ତେଣୁ ପଂଚମ ଥର ପାଇଁ ବିଶ୍ୱକପ୍ ବିଜେତା ହେବାର ଲକ୍ଷ୍ୟରେ ରହିଛି ଆୟୋଜକ ଦଳ ।