ଆଜି ହେବ ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଛେଦ । ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇପାରେ ମୃତ ଦେହ

208

କନକ ବ୍ୟୁରୋ : ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା କୁଖ୍ୟାତ ଗାଙ୍ଗଷ୍ଟର ସେକ୍ ହାଇଦରର ଆଜି ଶବବ୍ୟବଛେଦ କରାଯିବ । ବ୍ୟବଛେଦ ପରେ ହାଇଦରର ମୃତ ଦେହକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୋଲିସ ଏନକାଉଁଟରରେ ହାଇଦରର ମୃତ୍ୟୁ ହେବା ଖବର ଜଣାପଡିବା ପରେ ମୃତ ଦେହ ପରିବାର ଲୋକଙ୍କୁ ଦେବା ପାଇଁ ସମ୍ପର୍କୀୟମାନେ ଦାବି କରିଥିଲେ । ଗତକାଲି ଭେଟେରାନ ଗ୍ୟାଙ୍ଗଷ୍ଟର ହାଇଦରକୁ ବାଲେଶ୍ୱରର ସିମୁଳିଆଠାରେ ଏନକାଉଂଟର କରିଥିଲା ପୋଲିସ ।
ପୋଲିସର ସୂଚନା ଅନୁସାରେ, ଚୌଦ୍ୱାର ଜେଲରୁ ହାଇଦରକୁ ବାରିପଦା ନିଆଯାଉଥିଲା । ଅପରାହ୍ଣ ୩ ଟା ପାଖାପାଖି ସିମୁଳିଆ ନିକଟରେ ପରସ୍ରା କରିବା ବାହାନାରେ ଗାଡ଼ିରୁ ଓହ୍ଲାଇଥିଲା ଏହି ଗାଙ୍ଗଷ୍ଟର । ତଳକୁ ଓହ୍ଲାଇବା ପରେ ସାଙ୍ଗରେ ଯାଇଥିବା ପୁଲିସ କର୍ମଚାରୀଙ୍କ ବନ୍ଧୁକ ଛଡ଼ାଇ ଖସି ଯିବା ପାଇଁ ଧସ୍ତାଧସ୍ତି କରିଥିଲା । ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ତା ଉପରକୁ ଗୁଳି ଚଳାଇଥିଲା ପୁଲିସ । ଏବଂ ଗୁଳି ହାଇଦରର ପେଟରେ ବାଜିଥିଲା । ତାପରେ ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ନେଇଥିଲା ପୁଲିସ । ନିସ୍ତେଜ ଅବସ୍ଥାରେ ମେଡିକାଲରେ ସେ ପଡି ରହିଥିଲା । ହାଇଦର ଜୀବିତ କି ମୃତ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ଶେଷରେ ହାଇଦରକୁ ମୃତ ଘୋଷଣା କରିଥିଲେ ମେଡିକାଲ କର୍ତୃପକ୍ଷ ।