କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ! ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା

52

କନକ ବ୍ୟୁରୋ: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଛି । ଏହା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଆସନ୍ତା ୪୮ଘଂଟା ମଧ୍ୟରେ ଏହା ଲଘୁଚାପରେ ମଧ୍ୟ ପରିଣତ ହୋଇପାରେ । ଫଳରେ ପ୍ରବଳ ବର୍ଷା ସହ ଜୋର ପବନ ବହିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି କଟକ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଓ ବାଲେଶ୍ୱର ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ପାଗ ମେଘୁଆ ସାଙ୍ଗକୁ ଦିନ ତମାମ ଝିପିଝିପି ବର୍ଷା ଲାଗି ରହିଛି । କୋରୁକୋଣ୍ଡା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ମାଲକାନଗିରି – ବାଲିମେଳା ମୁଖ୍ୟ ରାସ୍ତାରେ ଯାନ ବାହନ ଚଳାଚଳ ପ୍ରଭାବିତ ହୋଇଛି ।

ସୂଚନା ମୁତାବକ, ଶୁକ୍ରବାର ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଆଖପାଖ ରାଜ୍ୟର ଦକ୍ଷିଣ ଉପକୂଳରେ ପହଞ୍ଚିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ସାରା ଓଡ଼ିଶାରେ ହେଉଛି ବର୍ଷା । ମନେ ହେଉଛି ମୌସୁମୀ ପ୍ରବାହ ଓଡ଼ିଶାରୁ ବିଦାୟ ନେବା ପୂର୍ବରୁ ଶେଷ ଥର ପାଇଁ ଜୋରଦାର ବର୍ଷିବା ଆରମ୍ଭ କରିଦେଇଛି । ଗୁରୁବାରଠାରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ବେଳେ ଗତକାଲି ଉପକୂଳର ଅନେକ ସ୍ଥାନରେ ବର୍ଷିଛି । ୪୮ ଘଣ୍ଟା ଭିତରେ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ଉତ୍ତର, ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସମୁଦ୍ର କୂଳରେ ପବନର ବେଗ ଅଧିକ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଦକ୍ଷିଣ ଉପକୂଳରୁ ଉପରକୁ ଉଠି ଉତ୍ତର ଉପକୂଳ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଖୋର୍ଦ୍ଧା ଜିଲ୍ଲା ସହିତ ଆଖପାଖ ସ୍ଥାନଗୁଡ଼ିକରେ ପ୍ରବଳ ବର୍ଷା ହେବ । ସେହିପରି ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସନ୍ଧ୍ୟାବେଳକୁ ଆଭ୍ୟନ୍ତରୀଣ ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ । ବିଶେଷ କରି ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ସେପଟେ ଛତିଶଗଡ଼ ଆକାଶ ମେଘୁଆ ଥିବାରୁ ପଶ୍ଚିମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏହି ଘୂର୍ଣ୍ଣିବଳୟ ଜନିତ ବର୍ଷାର ପ୍ରଭାବ ରାଜ୍ୟର ସମସ୍ତ ସ୍ଥାନରେ ଊଣାଅଧକେ ଅନୁଭୂତ ହେବ । ଘୂର୍ଣ୍ଣିବଳୟ ସମୁଦ୍ର ଭିତରେ ଥିଲେ ବି ଅଧିକ ଚାପ ରହୁଥିବାରୁ ଲଘୁଚାପରେ ପରିଣତ ହୋଇପାରୁନାହିଁ । ଚାପ କମିଲେ ଲଘୁଚାପର ରୂପ ନେବ । ତେବେ ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନଗୁଡ଼ିକରେ ପବନର ଗତି ଘଣ୍ଟାକୁ ୪୫ରୁ ୫୫ କି.ମି. ପର୍ଯ୍ୟନ୍ତ ରହୁଛି । ଏହି ପରିପ୍ରେକ୍ଷୀରେ ସମୁଦ୍ର ଭିତରକୁ ଯିବା ଉପରେ ମତ୍ସ୍ୟଜୀବୀମାନଙ୍କ ଉପରେ କଟକଣା ଜାରି କରିଛି ପାଣିପାଗ କେନ୍ଦ୍ର ।