୧୬ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

28

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ମାରିବା ସହିତ ସ୍ୱଳ୍ପ ଧରଣର ବର୍ଷା ହେବ। ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସଂପୂର୍ଣ୍ଣ ଶୁଖିଲା ରହିବ । ୧୯ ତାରିଖରୁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ବିଭାଗୀୟ ସୂଚନା ଅନୁଯାୟୀ , ଆସନ୍ତା ୧୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ଏହାର ଆଖପାଖରେ ଲଘୁଚାପ କ୍ଷେତ୍ର ପ୍ରସ୍ତୁତି ଚାଲିଛି ଏବଂ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଗତକାଲି ଦିନବେଳା ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରେ ରହିଛି । ରାଜଧାନୀରେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଖରାଦିନର ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସିମିଳିଗୁଡ଼ାରେ ସର୍ବାଧିକ ୮୦ ମିଲିମିଟର ବର୍ଷା ହୋଇଥିଲା। ରାଇକିଆ, ନବରଙ୍ଗପୁର, ଦାରିଙ୍ଗିବାଡ଼ିରେ ୪୦ ମି.ମି., ଫୁଲବାଣୀ, ରାୟଗଡ଼ାର କୋଟ୍ରାଗୁଡ଼ା, ରାଇଘର, ତେଲକୋଇ, କୋରାପୁଟ, ନବରଙ୍ଗପୁରର କୋସଗୁମୁଡ଼ା, ତିରିଂରେ ୨୦ ମି.ମି. ବର୍ଷା ହୋଇଥିଲା । ଗତକାଲି ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇନଥିବା ପାଣିପାଗ କେନ୍ଦ୍ର ସୂଚନାର ଜଣାଯାଇଛି ।