ରାଜ୍ୟବ୍ୟାପି ମୌସୁମୀ ସକ୍ରିୟ : ଦକ୍ଷିଣରେ ପ୍ରବଳ ବର୍ଷା ସମ୍ଭାବନା

16

କନକ ବ୍ୟୁରୋ : ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଓଡିଶାରେ ସକ୍ରିୟ ହୋଇଛି । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ମୌସୁମୀର ଉତ୍ତର ରେଖା (ଏନଏଲଏମ)ରେ ଏହା ଦର୍ଶାଯାଇଛି । ଏହି ରେଖା ଭାଲସାଦ୍, ନାସିକ୍ ଦେଇ ଓଡିଶାର ଝାରସୁଗୁଡା ଏବଂ ଅନ୍ୟାନ୍ୟ ଅଂଶ ଦେଇ ଜାମସେଦପୁର, ଭାଗଲପୁର ଦିଗକୁ ଗତି କରିଛି । ଯାହାଦ୍ୱାରା ଏହି ରେଖାର ଦକ୍ଷିଣ ପାଶ୍ୱର୍ସ୍ଥ ସମସ୍ତ ସ୍ଥାନରେ ମୌସୁମୀ ସକ୍ରିୟ ହୋଇଛି ।

ତେବେ ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାର କିଛି ଅଂଶ ଏବେ ବି ମୌସୁମୀ ବଳୟର ବାହାରେ ରହିଛି । ଅନୁକୂଳ ପରିସ୍ଥିତି ପରିଲକ୍ଷିତ ହେଉଥିବାରୁ ଆଉ ୩ରୁ୪ ଦିନ ଭିତରେ ଅବଶିଷ୍ଟ ଅଂଚଳରେ ମୌସୁମୀ ସକ୍ରିୟ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ସୂଚନାନୁସାରେ, ଏବେ ଓଡିଶା ଆକାଶ ମେଘାଚ୍ଛାନ୍ନ ରହିଛି । ଗତ ୨୪ ଘଂଟା ଭିତରେ ରାଜ୍ୟର ଅନେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଆଜି ସୁଦ୍ଧା କିଛି ସ୍ଥାନରେ ବି ବର୍ଷା ହୋଇଛି । ଦିନକ ତଳେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଥିଲା । କିନ୍ତୁ ଏହା ବାଂଲାଦେଶ ଆଡକୁ ଗତି କରିବା ପରେ ଦୁର୍ବଳ ହୋଇଯାଇଛି ।

ବର୍ତ୍ତମାନ ଓଡିଶା ଉପରେ ଏହାର କୌଣସି ପ୍ରଭାବ ନାହିଁ । ଆଜି ସନ୍ଧ୍ୟା ସୁଦ୍ଧା ଉପକୂଳ, ଉତ୍ତର ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । ତେବେ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି କି, ଆଗାମୀ ୨୪ ଘଂଟା ମଧ୍ୟରେ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।