କନକ ବ୍ୟୁରୋ: ସାଧାରଣତଃ ପଶ୍ଚିମ ଓଡ଼ିଶାରେ ପ୍ରଥମେ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ । ପରେ ଅଭ୍ୟନ୍ତର, ଉତ୍ତର, ଉପକୂଳ ଅଞ୍ଚଳକୁ କବଳିତ କରେ ଶୀତ । ଗତକାଲି ପଶ୍ଚିମ ତୁଳନାରେ ଉତ୍ତର, ଅଭ୍ୟନ୍ତର ଓଡ଼ିଶାରେ ପାରଦ ଅଧିକ ଖସିଛି । ଉତ୍ତରର ବିଭିନ୍ନ ସ୍ଥାନରେ ଗତକାଲି ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୫ଡିଗ୍ରୀ କମ୍ ରହିଛି । ଗତକାଲି କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ୧୧.୨ ଡିଗ୍ରୀ ସେଲସିୟସ, ଯାହାକି ସମଗ୍ର ରାଜ୍ୟରେ କମ୍ । କେବଳ ଆଜି ନୁହେଁ, ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ଏଭଳି ଥଣ୍ଡା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କେନ୍ଦ୍ରର ସୂଚନା ଅନୁସାରେ, ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରୁ ଅଧିକ ଥାଇ ତାହା ସ୍ୱାଭାବିକ ତାପମାତ୍ରାଠାରୁ ୫ ଡିଗ୍ରୀ ତଳକୁ ଖସିଲେ, ଏହାକୁ ‘ଥଣ୍ଡା ଦିନ’ ପରିସ୍ଥିତି କୁହାଯିବ ବୋଲି ଦର୍ଶାଇଛି ପାଣିପାଗ କେନ୍ଦ୍ର ।

Advertisment

ସୂଚନାନୁସାରେ, ଗତ କିଛି ଦିନ ହେଲା ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ପବନ ବହିବା ଆରମ୍ଭ ହୋଇଛି । ତେବେ ଏହା ସହିତ ଆରବ ମହାସାଗରରୁ ବହୁଥିବା ପବନରେ ଜଳୀୟବାଷ୍ପ ଆସି ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବେଶ କରୁଥିବାରୁ ସେସବୁ ସ୍ଥାନରେ ତାପମାତ୍ରା ସାମାନ୍ୟ ଅଧିକ ରହୁଛି ବୋଲି ମତ ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ଗୁରବାର କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୪.୪ପ୍ସ ଥିଲା। ଗତକାଲି ରେକର୍ଡ ହୋଇଛି ୧୧.୨ ଡିଗ୍ରୀ । ଦେଖିବାକୁ ଗଲେ ଦିନକରେ ପୂରା ୩ପ୍ସରୁ ଅଧିକ କମିଗଲା। ସେହିପରି ଗୁରବାର ବାରିପଦାରେ ୧୩.୮ ଡିଗ୍ରୀ ଥିବା ବେଳେ ଗତକାଲି ୧୨ ଡିଗ୍ରୀ କୁ କମିଛି। ବାଲେଶ୍ୱରରେ ୧୪ ଡିଗ୍ରୀ ଥିଲା, ଗତକାଲି ରହିଥିଲା ୧୨.୫ ଡିଗ୍ରୀ ।

ଗତକାଲି କେବଳ ମାଲକାନଗିରିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ୧୧.୫ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୧୨.୫ ଡିଗ୍ରୀ, ଝାରସୁଗୁଡ଼ାରେ ୧୨.୮ ଡିଗ୍ରୀ, ଅନୁଗୁଳରେ ୧୩.୬ ଡିଗ୍ରୀ, କଟକରେ ୧୪ ଡିଗ୍ରୀ, ସମ୍ବଲପୁରରେ ୧୪.୩ ଡିଗ୍ରୀ, ଭୁବନେଶ୍ୱରରେ ୧୫.୩ ଡିଗ୍ରୀ, ବଲାଙ୍ଗୀରରେ ୧୬ ଡିଗ୍ରୀ ରହିଛି ।