ଆଜି ବିଜୟା ଦଶମୀ ! ମହାମାୟୀଙ୍କ ପୂଜା ପାଇଁ ଉତ୍ସବମୁଖର ସାରା ଓଡିଶା, ଘରେ ଘରେ ମା’ଙ୍କ ପୂଜାର୍ଚ୍ଚନା

150

କନକ ବ୍ୟୁରୋ: ଆଜି ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମର ବିଜୟ । ପାପ ଉପରେ ପୁଣ୍ୟର ବିଜୟ । ଆଜି ମହିଷାଷୁରକୁ ବଦ୍ଧ କରିବେ ମାଆ ଦୁର୍ଗା । ଦଶହରାର ଦଶମ ଦିନରେ ପାଳିତ ହୁଏ ବିଜୟା ଦଶମୀ ପର୍ବ । ଏଥିପାଇଁ ପୂଜାପେଣ୍ଡାଲରୁ ମନ୍ଦିର ଯାଏଁ ସବୁଠି ଉତ୍ସବ ଓ ଭକ୍ତିର ମାହୋଲ । ବିଜୟା ଦଶମୀରେ ସକାଳୁ ସକାଳୁ ଆରମ୍ଭ ହୋଇଛି ମାଆଙ୍କ ଆବାହନ । ମନ୍ଦିରରେ ଦେବୀ ଦୁର୍ଗାଙ୍କୁ ପୂଜାର୍ଚ୍ଚନା ଚାଲିଛି । ଏଥିସହ ପଲ୍ଲୀରୁ ଦିଲ୍ଲୀ, ଘରେ ଘରେ ମହାମାୟୀଙ୍କ ଉଦ୍ଦେଶ୍ୟରେ ପୂଜାଚାଲିଛି ।

ବିଜୟା ଦଶମୀ ସନ୍ଧ୍ୟାରେ ପାଳିତ ହେବ ରାବଣ ପୋଡି । ରାବଣ ରୂପକ ରାକ୍ଷସକୁ ପୋଡି ପାପ ଉପରେ ପୁଣ୍ୟର ବିଜୟ ହେଉଥିବା ବାର୍ତା ଦିଆଯାଏ । ଏଥିପାଇଁ ପ୍ରମୁଖ ପୂଜା ପେଣ୍ଡାଲ ଗୁଡିକ ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି । ସେପଟେ ଦିନକ ପୂର୍ବରୁ ବାଲେଶ୍ୱରରେ ସରିଛି ରାବଣ ପୋଡି । ସହରର ଆଇଟିଆଇ ପଡିଆରେ ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଦଶାନନକୁ ବଧ କରିଥିଲେ ପ୍ରଭୁ ରାମଚନ୍ଦ୍ର ।

ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମ ଆଜିର ଦିନରେ ଲଙ୍କାର ରାକ୍ଷସ ରାଜା ରାବଣକୁ ବଧ କରି ସୀତା ଦେବୀଙ୍କୁ ଉଦ୍ଧାର କରିଥିଲେ । ବିଜୟାଦଶମୀକୁ ଲୋକେ ଦଶହରା ଭାବରେ ପାଳନ କରିଥାନ୍ତି । ପ୍ରକୃତ ପକ୍ଷେ ‘ଦଶହରା’ ଶବ୍ଦ ଜୀବନକୁ ବିକଶିତ ଓ ସୁଖ-ସମୃଦ୍ଧି ଆଣିବାରେ ନିଶ୍ଚିତ ଭାବରେ ସହାୟକ ହୋଇଥାଏ ।