ଆଜି ବିଜୟା ଦଶମୀ । କୋଭିଡ ସ୍ଥିତି ଯୋଗୁଁ କମିଛି ପାର୍ବଣର ମାହୋଲରେ ଚାକଚକ୍ୟ

163

କନକ ବ୍ୟୁରୋ : ଆଜି ବିଜୟା ଦଶମୀ । ସମଗ୍ର ଭାରତ ବର୍ଷରେ ପାଳିତ ହେଉଥିବା ଏକ ମହାପାର୍ବଣ ଦଶହରା । ଆଶ୍ୱୀନ ମାସ ପ୍ରତିପଦଠାରୁ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରା ଯାଇଥାଏ । କିମ୍ବଦନ୍ତୀ ଅନୁଯାୟୀ ମହିଷାସୁରର ଅତ୍ୟାଚାର ଅସହ୍ୟ ହେବାରୁ ଦେବତାମାନେ ଦୁର୍ଗାଙ୍କୁ ଆବାହନ କରିଥିଲେ । ଦେବୀ ଦୁର୍ଗା ସିଂହବାହିନୀ ସାଜି ମହିଷାସୁରକୁ ବଦ୍ଧ କରିଥିଲେ । ଆଶ୍ୱୀନ ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ଦୁର୍ଗା ମହିଷାସୁରକୁ ନିପାତ କରିଥିବାରୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତେବେ ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଉଛି । ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି ।
କୋଭିଡ ସ୍ଥିତି ଯୋଗୁଁ ପାର୍ବଣର ମାହୋଲରେ ଚାକଚକ୍ୟ କମିଛି । ହେଲେ ଶ୍ରଦ୍ଧାଳୁଙ୍କ ଉତ୍ସାହ କମିନି । ମା’ଙ୍କୁ ଭକ୍ତିର ସହ ନିଜ ଅନୁସାରେ ଦୁର୍ଗାପୂଜାକୁ ପାଳନ କରୁଛନ୍ତି ଲୋକ । ଗୁ୍ଜୁରାଟି ପରମ୍ପରାରେ ନବରାତ୍ର ସହ ଦାଣ୍ଡିଆ ଓ ଗରବାର ସମ୍ପର୍କ ବେଶ୍ ନିବିଡ଼ । ହେଲେ ଏବେ କଟକଣା ଯୋଗୁଁ ବାହାରେ ଦାଣ୍ଡିଆ ଖେଳିବା ସମ୍ଭବ ହେଉ ନାହିଁ । ତେଣୁ ରାଜଧାନୀରେ ଥିବା ଗୁଜୁରାଟି ପରିବାର ଘରେ ହିଁ ଦାଣ୍ଡିଆ ଖେଳୁଛନ୍ତି । ଲିଙ୍ଗରାଜ ମନ୍ଦିର ପାଖ କେଦାର ଲାଇନ ହାଟସାହିରେ ଦାଣ୍ଡିଆ ଖେଳି ଉତ୍ସାହ ଭରିଛନ୍ତି ଏକ ଗୁଜୁରାଟି ପରିବାର ।