କନକ ବ୍ୟୁରୋ: ଆଜି ପୌଷ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି । ପୌଷ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୁଏ । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ସ୍ୱତନ୍ତ୍ର ରାଜାରାଜେଶ୍ୱର ବେଶ କରାଯାଇଥାଏ । ମହାପ୍ରଭୁ ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେଥିପାଇଁ ବିଶେଷ ରୀତିନୀତିରେ ପୂଜାପାଠ ଅନୁଷ୍ଠିତ ହୋଇଥାଏ । ପୂଷ୍ୟାଭିଷେକ ଉତ୍ସବ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ଭିତରେ ଅନ୍ୟତମ। ପୌଷ ପୂର୍ଣ୍ଣିମା ଦିନ ସକାଳଧୂପ ସାରି ପୂଷ୍ୟାଭିଷେକ ନୀତି ସଂପନ୍ନ ହେବା ପରେ ଠାକୁରମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ।
ପରମ୍ପରା ଅନୁଯାୟୀ ପୌଷ ପୂର୍ଣ୍ଣିମା ପୂର୍ବଦିନ ରାତିରେ ଶ୍ରୀଜିଉମାନଙ୍କର ଚନ୍ଦନଲାଗି ବଢ଼ିବା ପରେ ଭୋଗମଣ୍ଡପ ଘରେ ଅଧିବାସ ପର୍ବ ଅନୁଷ୍ଠିତ ହୁଏ। ପୌଷପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ସୂଚନାଯୋଗ୍ୟ, ବର୍ଷକ ମଧ୍ୟରେ ମହାପ୍ରଭୁ ୫ଥର ସୁନାବେଶରେ ଦର୍ଶନ ଦିଅନ୍ତି। ଏ ମଧ୍ୟରେ ପୌଷ ପୂର୍ଣ୍ଣିମା ସୁନାବେଶ ନୀତି ଅନ୍ୟତମ। ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ବଡଦାଣ୍ଡରୁ ବ୍ୟାରିକେଡ କରି ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି ମନ୍ଦିର ସିଂହଦ୍ୱାର ବାଟେ ପ୍ରବେଶ ଓ ଦକ୍ଷିଣ ଦ୍ୱାର ବାଟେ ଭକ୍ତମାନେ ବାହାରିବାର ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ ।
ସେପଟେ ବ୍ରହ୍ମଗିରିର ଅଲାରନାଥରେ ଆଜି ଠାକୁରଙ୍କ ପୂଷ୍ୟାଭିଷେକ ହେବ । ଏଥିପାଇଁ ନୀତିକାନ୍ତି ଚାଲିଛି । ଭକ୍ତମାନେ ଭକ୍ତଙ୍କୁ ଦର୍ଶନ କରୁଛନ୍ତି । ଏହାପରେ ଗର୍ଭଗୃହରେ ଥିବା ୧୦୮ ଗରା ଜଳରେ ଶ୍ରୀଜୀଉ ମହାସ୍ନାନ କରିବେ । ଏହାପରେ ରାଜାଧିରାଜ ବେଶ ହେବ । ଗତକାଲି ପଂଚତୀର୍ଥରୁ ଜଳ ସଂଗୃହୀତ ହୋଇ ମନ୍ଦିର ଗର୍ଭଗୃହରେ ରଖାଯାଇଛି । ଠାକୁରଙ୍କ ନୀତିକାନ୍ତି ସମୟ ଅନୁସାରେ ଚାଲିଛି ।