କନକ ବ୍ୟୁରୋ: ଆଜି ରତ୍ନଭଣ୍ଡାର ଖୋଲିବ, ହେଲେ ରତ୍ନଭଣ୍ଡାରର ଗଣତି ହେବନି । ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ଟ୍ରାନ୍ସଫର ହେବା ପରେ, ଭିତର ରତ୍ନଭଣ୍ଡାରର ମରାମତି ହେବ । ଏଥିପାଇଁ ଲାଇଟ୍ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଭିତର ରତ୍ନଭଣ୍ଡାରର ମରାମତି ହେବା ପରେ ଯାଇ ରତ୍ନ ଅଳଙ୍କାରର ଗଣତି ମଣତି ହେବ । ତେବେ ଏ ସବୁ କାମ କେତେ ଦିନରେ ସରିବ, ସେନେଇ ସ୍ପଷ୍ଟ ଭାବେ କହିହେବନି ବୋଲି ସେ କହିଛନ୍ତି । ଅନ୍ୟପଟେ ରତ୍ନଭଣ୍ଡାର ମରାମତି, ଗଣତି ମଣତି ସମୟରେ ଦର୍ଶନରେ କୌଣସି ବି ଅସୁବିଧା ହେବନି ବୋଲି ସେ ସୂଚନା ଦେଇଛନ୍ତି ।